ତିର୍ତ୍ତୋଲରେ ବେଆଇନ ମଦ କାରବାର ଉପରେ ପୋଲିସର କଡ଼ା ନଜର: ବାଲିପାଟଣାରୁ ୧୫ ଲିଟର ବିଦେଶୀ ମଦ ଜବତ, ୨ ଅଟକ
ତିର୍ତ୍ତୋଲ,୦୩/୦୩(ଖବର ): ରିପୋର୍ଟ – ମନୋଜ କୁମାର ଜେନା ତିର୍ତ୍ତୋଲ ବ୍ଲକ ସହିତ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଚୋରା ମଦ କାରବାର ଚାଲିଥିବା ଯୋଗୁ ପୋଲିସ ପକ୍ଷରୁ କଡ଼ା ଅଭିଯାନ ଜାରି ରହିଛି। ସମ୍ପ୍ରତି ବାଲିପାଟଣା ଅଞ୍ଚଳରେ ଚଢ଼ାଉ ସମୟରେ ତିର୍ତ୍ତୋଲ ପୋଲିସ ୧୫ ଲିଟର ବିଦେଶୀ ମଦ (FL) ଜବତ କରିଥିବା ସୂଚନା ମିଳିଛି। ଅଙ୍କିତ ବର୍ମା, ଏସପିଙ୍କ ନିର୍ଦେଶକ୍ରମେ ଜିଲ୍ଲାରେ ଚୋରା ମଦ ବିରୋଧରେ ବିଶେଷ ଅଭିଯାନ ଚାଲିଛି। ଏହି ପରିପ୍ରେକ୍ଷିତରେ ତିର୍ତ୍ତୋଲ ଥାନାର ଭାରପ୍ରାପ୍ତ ଆରକ୍ଷୀ ଅଧିକାରୀ ପ୍ରଦୀପ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଦଳ ଚଢ଼ାଉ କରିଥିଲେ। ଅଭିଯାନ ସମୟରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ସହ ଗୋଟିଏ ସ୍କୁଟି ମଧ୍ୟ ଜବତ କରାଯାଇଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ତିର୍ତ୍ତୋଲ ଅଞ୍ଚଳର କିଛି ସ୍ଥାନରେ ବେଆଇନ ଭାବେ ମଦ ବିକ୍ରୟ ଚାଲିଥିବା ସୂଚନା ପାଇ ଏହି ବିଶେଷ ଚଢ଼ାଉ ହେଉଛି। ଜବତ ମଦ ଓ ଯାନବାହନକୁ ଆଇନଅନୁଯାୟୀ ଜବତ ତାଲିକାଭୁକ୍ତ କରାଯାଇଥିବା ବେଳେ, ଅଭିଯୁକ୍ତମାନଙ୍କ ବିରୋଧରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବେଆଇନ ମଦ କାରବାରକୁ କୌଣସି ଭାବେ ବର୍ଦ୍ଦାସ୍ତ କରାଯିବ ନାହିଁ। ତିର୍ତ୍ତୋଲ ପୋଲିସ ସଦା ସର୍ବଦା ସତର୍କ ଓ ତତ୍ପର ଅଛି ବୋଲି ଜଣାଇ, ଏପରି ଅବୈଧ କାର୍ଯ୍ୟକଳାପ ବିରୋଧରେ ଆଗାମୀ ଦିନରେ ମଧ୍ୟ ଅଭିଯାନ ଆହୁରି ଜୋରଦାର କରାଯିବ ବୋଲି କଡା ଚେତାବନୀ ଦିଆଯାଇଛି l
