ସତ୍ୟକୁ ଚୁପ କରିବାର ଚେଷ୍ଟା?
ତିର୍ତ୍ତୋଲରେ ସାମ୍ବାଦିକ ଉପରେ ମରଣାନ୍ତ୍ରିକ ଆକ୍ରମଣ,
ଦୋଷୀଙ୍କୁ ଗିରଫ ଦାବି ଜୋରଦାର
ତିର୍ତ୍ତୋଲ, ୦୩ ମାର୍ଚ୍ଚ(ଖବର ): ରିପୋର୍ଟ – ମନୋଜ କୁମାର ଜେନା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସରଣୀ–ବାରିପଦା ରାସ୍ତାରେ ଜଣେ ସାମ୍ବାଦିକଙ୍କ ଉପରେ ଘଟିଥିବା ମରଣାନ୍ତ୍ରିକ ଆକ୍ରମଣ ଘଟଣା ଅଞ୍ଚଳରେ ଚର୍ଚ୍ଚା ଓ ଅସନ୍ତୋଷ ସୃଷ୍ଟି କରିଛି। ଗୁରୁତର ଆହତ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତିଙ୍କ ଘର ଗୋବିନ୍ଦପୁର ପଂଚାୟତର ଗୁଣ୍ଠିଲୋ ଗ୍ରାମରେ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଗତ ୨ ତାରିଖ ରାତି ପ୍ରାୟ ୧୦ଟା ୩୦ମିନିଟ ସମୟରେ ସେ ତିର୍ତ୍ତୋଲ ନେହେରୁ ବଜାରରୁ ନିଜ ଘରକୁ ଫେରୁଥିବା ବେଳେ ପୂର୍ବଯୋଜିତ ଭାବେ କିଛି ଦୃବୃତ୍ତ ତାଙ୍କୁ ପିଛା କରିଥିଲେ। ବାରିପଦା ରାସ୍ତାର ଏକ ନିର୍ଜନ ସ୍ଥାନରେ ତାଙ୍କ ପଛମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ତଳେ ପଡ଼ିଯାଇବା ପରେ ଗୋଡ଼, ହାତ ଓ ଛାତିରେ ମଧ୍ୟ ଆଘାତ କରାଯାଇଥିବା ଜଣାପଡିଛି। ମୁଣ୍ଡରେ ଗୁରୁତର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ତାଙ୍କ ହେଲମେଟ ଭାଙ୍ଗି ଚୁର୍ଣ୍ଣବିଚୁର୍ଣ୍ଣ ଅବସ୍ଥାରେ ମିଳିଥିଲା। ସ୍ଥାନୀୟ ଲୋକଙ୍କ ସୂଚନା ପରେ ୧୧୨ ନମ୍ବରକୁ ଫୋନ କରାଯାଇଥିଲା। ପରେ ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପ୍ରଥମେ ମଣିଜଙ୍ଗା ମେଡିକାଲ ଓ ପରେ ଜଗତସିଂହପୁର ହସ୍ପିଟାଲ ମାଧ୍ୟମରେ କଟକ ବଡ଼ ମେଡିକାଲକୁ ପଠାଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ଖବର ପ୍ରସାରଣକୁ ନେଇ ପ୍ରତିଶୋଧମୂଳକ ଭାବେ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାକୁ ସାମ୍ବାଦିକ ମହଳ ଗଭୀର ଚିନ୍ତାର ସହ ନେଇଛି। ଜଣେ ସାମ୍ବାଦିକଙ୍କୁ ସତ୍ୟ ପ୍ରକାଶ ପାଇଁ ଏଭଳି ଆକ୍ରମଣ ସହିବାକୁ ପଡ଼ୁଥିବା ଘଟଣା ଅଞ୍ଚଳର ଆଇନ-ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ଦୋଷୀମାନେ ଗିରଫ ହୋଇନଥିବାରୁ ସ୍ଥାନୀୟ ମହଳରେ ଅସନ୍ତୋଷ ବଢ଼ିଛି। ଘଟଣାର ନିଷ୍ପକ୍ଷ ତଦନ୍ତ ସହ ଦୋଷୀମାନଙ୍କୁ ଶୀଘ୍ର ଗିରଫ କରି କଠୋର ଆଇନ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଉଛି l
