ଶିକ୍ଷା ସେବାରେ ଅମର ନାମ ଶେଖ କଲିମୁଦ୍ଦିନ
ବ୍ରାହ୍ମଣଝରିଲୋରେ ଭାବବିହ୍ୱଳ ସ୍ମୃତିଚାରଣ ସଭା ଆୟୋଜିତ
ଫୁଲନଖରା :କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ପ୍ରଧାନ ପଞ୍ଚାୟତର ବ୍ରାହ୍ମଣଝରିଲୋ ଅଞ୍ଚଳରେ ସ୍ଥାପିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ପ୍ରତିଷ୍ଠାତା ଶେଖ କଲିମୁଦ୍ଦିନଙ୍କ ଗତ ୨୭ ତାରିଖ ଶୁକ୍ରବାର ସକାଳ ୮:୩୦ ମିନିଟ୍ ସମୟରେ ଦେହାନ୍ତ ଘଟିଥିଲା। ତାଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଏହି ପରିପ୍ରେକ୍ଷିତରେ ବ୍ରାହ୍ମଣଝରିଲୋ ସ୍ଥିତ ଘନଶ୍ୟାମ ଏନକ୍ଲେଭର ସମ୍ମିଳନୀ କକ୍ଷରେ ଇଂ. ସୁଶାନ୍ତ କୁମାର ତ୍ରିପାଠୀଙ୍କ ଆହ୍ୱାନ କ୍ରମେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସାମ୍ବାଦିକ ଲଳିତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କଟକ କମିଶନରେଟ୍ ପୋଲିସର ଏ.ସି.ପି ଅମିତାଭ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶେଖ କଲିମୁଦ୍ଦିନଙ୍କ ସାମାଜିକ ଓ ଶିକ୍ଷାସେବାମୂଳକ ଅବଦାନକୁ ସ୍ମରଣ କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରାଚୀ ଗବେଷକ ହଂସନାଥ ସାହୁ କହିଥିଲେ ଯେ, ଫୁଲନଖରା–ନିଆଳି ରାସ୍ତା ପାର୍ଶ୍ୱରେ ଶିକ୍ଷାନୁଷ୍ଠାନ ଗଢ଼ି ତୋଳି ସେ ଗ୍ରାମାଞ୍ଚଳର ଶିକ୍ଷା ବିକାଶରେ ଅପୂର୍ବ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ। ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରାୟ ୧୨୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାରୁ ତାଙ୍କର ଦୃଷ୍ଟିଭଙ୍ଗୀ ଓ ସମର୍ପଣର ପ୍ରମାଣ ମିଳେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଗାୟକ ଆଲ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ଦଧିଚି ସମୂହ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡ଼ଃ ମନୋଜ ଦାଶ, ଆଧ୍ୟାତ୍ମିକବାଦୀ ସ୍ତମ୍ଭକାର ଇଂ. ସନ୍ନ୍ୟାସୀ ପଣ୍ଡା, ବରିଷ୍ଠ ନାଗରିକ କୈଳାଶ ଚନ୍ଦ୍ର ବେହେରା, ଆମ୍ରପଲ୍ଲୀ ରିସୋର୍ଟର ପ୍ରତିଷ୍ଠାତା ଅଶ୍ୱିନୀ ମହାପାତ୍ର, ବରିଷ୍ଠ ଆଇନଜୀବୀ କବି ନାରାୟଣ ଜେନା, ବିଦ୍ୟାଳୟର ଅଧ୍ୟକ୍ଷ ଏସ.ଏସ. ଅଲ୍ଲୀ, ବରିଷ୍ଠ ଶିକ୍ଷୟିତ୍ରୀ ପ୍ରିୟଙ୍କା ନାୟକ ଓ ଶିକ୍ଷାବିତ୍ ଦୀନବନ୍ଧୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତେ ଶେଖ କଲିମୁଦ୍ଦିନଙ୍କ ଶିକ୍ଷାପ୍ରତି ନିଷ୍ଠା, ଦୂରଦୃଷ୍ଟି ଓ ସମାଜସେବାକୁ ସ୍ମରଣ କରି ତାଙ୍କ ଅଧୂରା ସ୍ୱପ୍ନଗୁଡ଼ିକ ପୂରଣ ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଓ ପରିଚାଳନା କମିଟିକୁ ଅବଶିଷ୍ଟ କାର୍ୟ୍ୟ ଶୀଘ୍ର ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ। ଏହି ସ୍ମୃତିଚାରଣ ସଭାରେ ଧୀରେନ୍ଦ୍ର ପାଢ଼ୀ, ପ୍ରଶାନ୍ତ କୁମାର ତ୍ରିପାଠୀ, କାଳୀକିଙ୍କର ହୋତା, ସୂର୍ୟ୍ୟକାନ୍ତ ରାୟ, ବାବାଜୀ ଚରଣ ଦାସ ସହିତ ଅଞ୍ଚଳର ୫୦ରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶିକ୍ଷାବିତ୍ମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
