ଭକ୍ତି ଓ ପରମ୍ପରା ମଧ୍ୟରେ ସମାପ୍ତ ହେଲା ପ୍ରସିଦ୍ଧ ଅରିଲୋ ମେଳଣ
‘ହରି ହରି ଭେଟ’ ସହ ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମହାସମାରୋହ
ଫୁଲନଖରା :କଟକ ସଦର ଥାନା ଅନ୍ତର୍ଗତ ପ୍ରସିଦ୍ଧ ଅରିଲୋ ମେଳଣ ଚଳିତ ବର୍ଷ ୧ ତାରିଖ ତ୍ରୟୋଦଶୀ ତିଥିରେ ଭକ୍ତିମୟ ପରିବେଶ ଓ ମହା ସମାରୋହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରାଚୀନ ପରମ୍ପରା ଓ ଆଧ୍ୟାତ୍ମିକ ଉତ୍ସାହର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥିବା ଏହି ମେଳଣରେ ହଜାର ହଜାର ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କ ଭିଡ଼ ଲାଗିଥିଲା। ପରମ୍ପରା ଅନୁଯାୟୀ ରାତ୍ରି ୧ଟା ସମୟରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ଦେବ ଓ ଶ୍ରୀ ଶ୍ରୀ ରାଧାମାଧବ ଦେବ ଲଳିତା ଗାଡିଆ ଠାରେ ପହଞ୍ଚିଥିଲେ। ସେଠାରେ ଶ୍ରୀ ଶ୍ରୀ ଜନାର୍ଦ୍ଦନଦେବଙ୍କ ମ୍ୟାନେଜିଂ ଟ୍ରଷ୍ଟି ପରମ୍ପରା ଅନୁସାରେ ନିମନ୍ତ୍ରଣ କରିଥିବା ପରେ ତିନି ଠାକୁର ବିରାଟ ଶୋଭାଯାତ୍ରାରେ ରୋଷଣୀ ସହ ଆଗକୁ ବଢ଼ିଥିଲେ। ପରେ ଜନାର୍ଦ୍ଦନଦେବ, ଲକ୍ଷ୍ମୀନାରାୟଣ ଓ ରାଧା ମାଧବଙ୍କ ବିମାନ ପରସ୍ପର ସ୍ପର୍ଶ କରିବା ସହିତ ପରମ୍ପରାଗତ ‘ହରି ହରି ଭେଟ’ ଅନୁଷ୍ଠିତ ହୋଇଥିଲା, ଯାହାକୁ ଦେଖି ଭକ୍ତମାନେ ଭକ୍ତିଭାବରେ ମଗ୍ନ ହୋଇପଡ଼ିଥିଲେ। ଅରିଲୋ ଦାଣ୍ଡ ଦେଇ ବିରାଟ ରୋଷଣୀ, ଢୋଲ ଓ ଆଦି ପାରମ୍ପରିକ ବାଦ୍ୟ ମଧ୍ୟରେ ସମସ୍ତ ଠାକୁରମାନେ ଭୋରବେଳେ ମେଳଣ ପଡ଼ିଆରେ ପହଞ୍ଚିଥିଲେ। ସକାଳ ୮ଟାରେ ଶ୍ରୀ ଶ୍ରୀ ଲକ୍ଷେଶ୍ୱର ମହାଦେବ ପହଞ୍ଚି ସମସ୍ତ ଠାକୁରଙ୍କୁ ପରିକ୍ରମା କରିଥିଲେ। ଏହାପରେ ପାରମ୍ପରିକ ଭାବରେ ସମସ୍ତ ଠାକୁରଙ୍କୁ ଭୋଗ ହାଣ୍ଡି ଦିଆଯାଇଥିଲା। ଧାର୍ମିକ ଆଚାର ବିଧି ସମ୍ପନ୍ନ ହେବା ପରେ ଠାକୁରମାନେ ତାଙ୍କ ନିଜ ନିଜ ଆସ୍ଥାନକୁ ବାହୁଡ଼ିଥିଲେ। ଏହି ମେଳଣରେ ୫୦୦ରୁ ଅଧିକ ଉଠା ଦୋକାନ ବସିଥିବାରୁ ଅଞ୍ଚଳରେ ଏକ ପାର୍ବଣମୟ ପରିବେଶ ସୃଷ୍ଟି ହୋଇଥିଲା। ଖାଦ୍ୟ ପଦାର୍ଥ, ଖେଳନା, ଘରୋଇ ସାମଗ୍ରୀ ଓ ବିଭିନ୍ନ ପାରମ୍ପରିକ ବସ୍ତୁର ଦୋକାନଗୁଡ଼ିକରେ ଲୋକମାନଙ୍କ ଭିଡ଼ ଲାଗିଥିଲା। ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ କଟକ ଅତିରିକ୍ତ ଡି.ସି.ପି ଅମରେନ୍ଦ୍ର ପଣ୍ଡା, ଏ.ସି.ପି ଶଶିକାନ୍ତ ରାଉତ, ଆଇ.ଆଇ.ସି ତୁଷାରକାନ୍ତି ସେଠୀଙ୍କ ନେତୃତ୍ୱରେ ସଦର ଥାନା ପୋଲିସ ସହିତ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଅପରାହ୍ନ ୫ଟା ସୁଦ୍ଧା ପୋଲିସ ଅଧିକାରୀମାନେ ଜନାର୍ଦ୍ଦନଙ୍କ ପୀଠରୁ ମେଳଣ ପଡ଼ିଆ ପର୍ୟ୍ୟନ୍ତ ଫ୍ଲାଗ୍ ମାର୍ଚ୍ଚ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିବା ଦେଖିବାକୁ ମିଳିଥିଲା। ମେଳଣ ଶାନ୍ତି କମିଟିର ସଭାପତି ସୁନ୍ଦର ପବିତ୍ର ଦାସଙ୍କ ସହ ପର୍ଶୁରାମ ସେନାପତି, ଅଶୋକ କୁମାର ରଥ, ଲଳିତ କୁମାର ଦାଶ, ସୂର୍ୟ୍ୟ ନାରାୟଣ ଶତପଥୀ, ବରଦା ପ୍ରସାଦ ବେଉରା, କାହ୍ନୁ ଚରଣ ପାତ୍ର, ବିପ୍ର ଚରଣ ଭୋଳ, ଗୋପାଳ ମିଶ୍ର, ପ୍ରଭୁ ପ୍ରସାଦ ମହାନ୍ତି, ପ୍ରବୀର କୁମାର ମହାନ୍ତି, ପ୍ରଶାନ୍ତ କୁମାର ବେହେରା, ପ୍ରଶାନ୍ତ କୁମାର ନାୟକ, ଶୈଳଜାନନ୍ଦ ସାହୁ, ରାଜକିଶୋର ପଟ୍ଟନାୟକ, ତପଶ୍ରୀ ଦଳାଇ, ସଞ୍ଜୟ ମହାନ୍ତି, ଦେଶରଞ୍ଜନ ବୈଠାଳୁ, ହୃଦାନନ୍ଦ ମୁଳିଆ ଓ ସନାତନ ନନ୍ଦ ସମେତ ସମସ୍ତ କର୍ମକର୍ତ୍ତାମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ। ସମଗ୍ର ଆୟୋଜନ ଶାନ୍ତିପୂର୍ଣ୍ଣ ଓ ସୁଚାରୁ ଭାବେ ସମାପ୍ତ ହୋଇଥିବାରୁ ଭକ୍ତମାନେ ଓ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଥିଲେ। ଅରିଲୋ ମେଳଣ ପୁନର୍ବାର ତାହାର ଐତିହ୍ୟ ଓ ପାରମ୍ପରିକ ଗୌରବକୁ ଅବିକଳ ରଖିବାରେ ସଫଳ ହୋଇଛି ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି I
