ଡ୍ରେନ୍ ମଧ୍ୟରେ ପାଇପ୍ଲାଇନ୍: କୋରାପୁଟରେ ପାନୀୟ ଜଳକୁ ନେଇ ସ୍ୱାସ୍ଥ୍ୟ ସଙ୍କଟ ଆଶଙ୍କା।
କୋରାପୁଟ ୧୯/୨/୨୬ (Karuna Mahanandia) କୋରାପୁଟ ପୋୖରାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ଜୀବନର ମୂଳ ଆଧାର ହେଉଥିବା ପାନୀୟ ଜଳ ଯଦି ରୋଗର କାରଣ ହୋଇଯାଏ, ତେବେ ସ୍ଥିତି କେତେ ଭୟାବହ ହୋଇପାରେ—ଏହି ଆଶଙ୍କା ଏବେ ସହରବାସୀଙ୍କ ମଧ୍ୟରେ ବଢ଼ୁଛି। ସହରର ବିଭିନ୍ନ ସ୍ଥାନରେ ଡ୍ରେନ୍ ମଧ୍ୟରେ ପାଇପ୍ଲାଇନ୍ ପତିତ ହୋଇଥିବାରୁ ଦୂଷିତ ପାଣି ପାନୀୟ ଜଳ ସହ ମିଶିଯାଉଥିବା ଅଭିଯୋଗ ଆସିଛି।
ପୋୖରାଞ୍ଚଳର ୨୧ଟି ୱାର୍ଡର ଅଧିକାଂଶ ପରିବାର ଜନସ୍ୱାସ୍ଥ୍ୟ ବିଭାଗ ଯୋଗେ ପାଇପ୍ ମାଧ୍ୟମରେ ଯୋଗାଯାଉଥିବା ପାଣି ଉପରେ ନିର୍ଭରଶୀଳ। ଘରେ ଘରେ ପାଇପ୍ ସଂଯୋଗ ରହିଥିଲେ ମଧ୍ୟ ବହୁ ସ୍ଥାନରେ ପୁରୁଣା ଓ ଜର୍ଜରିତ ପାଇପ୍ ଡ୍ରେନ୍ ମଧ୍ୟରେ ଚାଲିଥିବା ଦେଖାଯାଉଛି। ବର୍ଷକାଳ ଧରି ମରାମତି ନ ହେବାରୁ ପାଇପ୍ ଫାଟିଯାଇ ଲିକେଜ୍ ସମସ୍ୟା ଉଦ୍ଭବ ହୋଇଛି।
ସ୍ଥାନୀୟ ନିବାସୀମାନଙ୍କ କହିବା ଅନୁଯାୟୀ, ଫାଟିଥିବା ପାଇପ୍ ମାଧ୍ୟମରେ ଡ୍ରେନ୍ର ଅପବିତ୍ର ପାଣି ଭିତରକୁ ପ୍ରବେଶ କରୁଛି। ଅଜାଣତେ ଲୋକେ ସେହି ପାଣିକୁ ପାନ ଓ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତାନୁସାରେ, ଏପରି ପରିସ୍ଥିତିରେ ଡାଏରିଆ, ଜଣ୍ଡିସ୍ ପରି ଜଳଜନିତ ରୋଗ ଛୁଆଁ ହେବାର ସମ୍ଭାବନା ରହେ। ସମୟମେ ସଠିକ ପଦକ୍ଷେପ ଗ୍ରହଣ ନକରାଗଲେ ସ୍ଥିତି ମହାମାରୀ ଆକାର ନେଇପାରେ ବୋଲି ଚେତାବନୀ ଦିଆଯାଇଛି।
ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ମୁଖ୍ୟ ପାଇପ୍ଲାଇନ୍ ଯୋଗେ ପାଣି ଯୋଗାଣ କରାଯାଏ ଓ ଘରୋଇ ସଂଯୋଗର ରକ୍ଷାବେକ୍ଷଣ ଗୃହମାଲିକଙ୍କ ଦାୟିତ୍ୱ। ପାଇପ୍ ଫାଟିବା କିମ୍ବା ଲିକେଜ୍ ଘଟିଲେ ସତ୍ୱର ସୂଚନା ଦେବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।
ତଥାପି ବୁଦ୍ଧିଜୀବୀମାନଙ୍କ ମତ ହେଉଛି, ପ୍ରଶାସନ ପକ୍ଷରୁ ସମଗ୍ର ସହରରେ ପାଇପ୍ଲାଇନ୍ର ସ୍ଥିତିର ସମୀକ୍ଷା କରି ଜର୍ଜରିତ ପାଇପ୍ଗୁଡ଼ିକର ତୁରନ୍ତ ପରିବର୍ତ୍ତନ ସହ ସଚେତନତା ଅଭିଯାନ ଆରମ୍ଭ କରିବା ଆବଶ୍ୟକ। ନଚେତ୍ ପାନୀୟ ଜଳ ନେଇ ଏହି ଅବ୍ୟବସ୍ଥା ଆଗାମୀଦିନରେ ଗଭୀର ସ୍ୱାସ୍ଥ୍ୟ ସଙ୍କଟକୁ ଜନ୍ମ ଦେଇପାରେ।
