ନଦୀ ପଠାରେ ଜଳିଗଲା ଏକରେ ଏକର ଆଖୁ ଫସଲ
ପୋରଗଦେଇରେ ଅଗ୍ନିକାଣ୍ଡରେ ଚାଷୀଙ୍କ ଭାରି କ୍ଷତି, ରାସ୍ତା ଅଭାବରୁ ଅସହାୟ ଅଗ୍ନିଶମ ଦଳ
ତିର୍ତ୍ତୋଲ, ୧୮/୦୨ (ଖବର ): ମନୋଜ କୁମାର ଜେନା ଙ୍କ ରିପୋର୍ଟ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପୋରଗଦେଇ ଗାଁ ନିକଟସ୍ଥ ନଦୀ ପଠାରେ ଥିବା ବିଶାଳ ଆଖୁ ଚାଷ ଜମିରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟିଥିବାରୁ ଚାଷୀମାନେ ଭାରି କ୍ଷତିଗ୍ରସ୍ତ ହୋଇଛନ୍ତି। ହଠାତ୍ ଲାଗିଥିବା ଓ ଏହି ନିଆଁ ଦେଖି ଚାଷୀମାନେ ଆତଙ୍କିତ ହୋଇପଡ଼ିଥିଲେ। ଆଗ୍ନିଶିଖା ଦ୍ରୁତ ଗତିରେ ପ୍ରସାରିତ ହୋଇ ଏକରେ ଏକର ଆଖୁ ଫସଲକୁ ଆଚ୍ଛାଦିତ କରିଦେଇଥିଲା।
ସ୍ଥାନୀୟ ଲୋକମାନେ ନିଜସ୍ୱ ସାଧନ ସମଗ୍ରୀ ସହ ନିଆଁ ନିବାପନରେ ଲାଗିଥିଲେ ମଧ୍ୟ ଆଗ୍ନିକାଣ୍ଡର ତୀବ୍ରତା ଅଧିକ ଥିବାରୁ ନିୟନ୍ତ୍ରଣ କରିପାରିନଥିଲେ। ପରେ ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ବିଭାଗ ର ନିଆଁ ନିବାପନ ଦଳ ଘଟଣାସ୍ଥଳକୁ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଖେତକୁ ପହଞ୍ଚିବା ପାଇଁ ଯଥାର୍ଥ ରାସ୍ତା ନଥିବାରୁ ଅଗ୍ନିଶମ ଗାଡ଼ି ମଧ୍ୟଭାଗ ପର୍ଯ୍ୟନ୍ତ ଯାଇପାରିନଥିଲା। ଫଳରେ ଅଗ୍ନିନିବାପନ କାର୍ଯ୍ୟ ବାଧାଗ୍ରସ୍ତ ହୋଇ ନିଆଁ ବେଶି ସମୟ ଧରି ଜଳିଥିବା ଜଣାପଡ଼ିଛି।
ଏହି ଅଗ୍ନିକାଣ୍ଡରେ ଅନେକ ଆଖୁ ଚାଷୀଙ୍କ ବର୍ଷକର ପରିଶ୍ରମ ଏକ ମୁହୂର୍ତ୍ତରେ ଧ୍ୱଂସ ହୋଇଯାଇଛି। କ୍ଷତିର ସଠିକ୍ ଆକଳନ ହେବାକୁ ବାକି ଥିଲେ ମଧ୍ୟ ବିପୁଳ ଆର୍ଥିକ କ୍ଷତି ଘଟିଥିବା ଆଶଙ୍କା କରାଯାଉଛି। ଚାଷୀମାନେ ସରକାରୀ ସହାୟତା ଓ କ୍ଷତିପୂରଣ ଦାବି କରିଛନ୍ତି।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ଘଟଣାର କାରଣ ତଦନ୍ତ ସହ କ୍ଷତିଆନୁମାନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ସୂଚନା ମିଳିଛି।
