କେନ୍ଦୁଝର ଜିଲ୍ଲାରେ ବାଲି ଲୁଟ୍ ଚରମସୀମାରେ ପହଂଚିଛି। ମାଫିଆ ଯେଉଁଠାରୁ ଚାହିଁଲେ ମନଇଚ୍ଛା ବାଲି ଲୁଟ୍ କରୁଛନ୍ତି। ଲଘୁ ଖଣିଜ ବିଭାଗ ନିକଟରେ ସମସ୍ତ ସୂଚନା ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ଦିନକୁ ଦିନ ଲୁଟ୍ ବଢ଼ି ଚାଲିଛି। ଗତ ଅକ୍ଟୋବର ମାସରେ ବାଲି ଲୁଟ୍ ବିରୋଧରେ ଓ ନଦୀ ସୁରକ୍ଷା ପାଇଁ ଜିଲ୍ଲାର ବିଭିନ୍ନ ନଦୀରେ ସତ୍ୟାଗ୍ରହ ହୋଇଥିଲା। ସାରା ରାଜ୍ୟରେ ଏହା ବାଲି ଲୁଟର ପର୍ଦ୍ଦାଫାଶ କରିଥିଲା। ଖଣି ଦୁର୍ନୀତି ପରେ ରାଜ୍ୟର ସର୍ବାଧିକ ଚର୍ଚ୍ଚିତ ତଥା ଦ୍ୱିତୀୟ ସର୍ବାଧିକ ଲୁଟ୍ ହେଉଛି ବାଲି ଚୋରି। ଏହାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି। ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଂଚର ଆବାହକ ଯଜ୍ଞ ପ୍ରସାଦ ସାହୁ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। 

ଶ୍ରୀ ସାହୁ ଉଲ୍ଲେଖ କରି କହିଛନ୍ତି, ସତ୍ୟାଗ୍ରହ ପରେ ଜିଲ୍ଲାରେ ୨ ମାସ ପର୍ଯ୍ୟନ୍ତ ବାଲି ଲୁଟ୍ ଓ ପରିବହନ ଉପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଜିଲ୍ଲାର ବିଭିନ୍ନ ଥାନାରେ ଶହ ଶହ ସଂଖ୍ୟାରେ ବାଲି ଗାଡ଼ି ଜବତ୍ ହୋଇ ରଖା ଯାଇଥିଲା। ତେବେ ବାଲି କେଉଁ ନଦୀର କେଉଁ ସ୍ଥାନରୁ ଆସିଲା ସେ ସମ୍ପର୍କରେ ଆଦୌ ତଦନ୍ତ ହୋଇନାହିଁ। ଶତାଧିକ ବେଆଇନ ଘାଟରେ ବାଲି ଲୁଟରେ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷ ଓ ସରକାରୀ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ପ୍ରଶାସନର ବିନା ସହଯୋଗରେ ଏତେ ବଡ ଲୁଟ୍ ଆଦୌ ସମ୍ଭବ ନୁହେଁ ବୋଲି ଯଜ୍ଞ ପ୍ରସାଦ ସାହୁ କହିଛନ୍ତି। କେନ୍ଦୁଝର ଜିଲ୍ଲାରେ ବାଲି ଲୁଟର ପରିମାଣ ୫ ହଜାର କୋଟିରୁ ଅଧିକ ହେବ ବୋଲି ସେ କହିଛନ୍ତି। 

କେବଳ ଆନନ୍ଦପୁର ଉପଖଣ୍ଡର ୫୦ରୁ ଅଧିକ ସ୍ଥାନରୁ ବାଲି ଲୁଟ୍ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ହାଟଡିହି ତହସିଲର ବୈତରଣୀ ନଦୀରେ ଗିରିଗାଁ, କରଗୋଳା, ଜମ୍ଭରା, ଅମୃତପୁର, ଡିମିରିଆ, ସମଣା, ବଞ୍ଚୋ, ଆମ୍ବୋ ଆଦି ଘାଟରୁ ଦୀର୍ଘଦିନ ମାସ ହେବ ବେଆଇନ ଭାବେ ବାଲି ଉତ୍ତୋଳନ ଓ ପରିବହନ ହେଉଥିଲା। ସେହିପରି ଆନନ୍ଦପୁର ତହସିଲର ବୈତରଣୀ ନଦୀରେ ବୁଢ଼ୀକୁଦ, କୋଡ଼ପଡା, ତନେଇପାଳ, ଟୁକୁଣା, କୁମଡ ଆଦି ସ୍ଥାନରୁ ଘାଟ ନଥାଇ ବାଲି ଲୁଟ୍ ଚାଲିଛି। ଘଷିପୁରା ତହସିଲର ବୈତରଣୀ ନଦୀର ତମ୍ପୋ, ମଧୁକେଶରୀ, ଶାଳଦେଇ, ତାଳଗାଁ, ବୀରଗୋବିନ୍ଦପୁର ଠାରେ ମଧ୍ୟ ଏହି ବେଆଇନ କାର୍ଯ୍ୟ ଚାଲିଛି।ସେହିପରି ରେମାଳ ଓ କୁଶେଇ ନଦୀର କାଠପାଳ, ଦରଡିପାଳ, ବେଲବାହାଳି ଆଦି ସ୍ଥାନରୁ ବଡ ବଡ ହାଇୱା ଦ୍ଵାରା ବାଲି ମାଫିଆ ଲୁଟ୍ କରୁଛନ୍ତି। 

ବିଭିନ୍ନ ନଦୀରୁ କେତେ ପରିମାଣର ବାଲି ଲୁଟ୍ ହୋଇଛି ସେ ସମ୍ପର୍କରେ ତଦନ୍ତ ସୁପାରିଶ ପାଇଁ ଶ୍ରୀ ସାହୁ ଦାବି କରିଛନ୍ତି। ପ୍ରତିଦିନ ବିଭିନ୍ନ ବାଲିଘାଟରୁ ଶହ ଶହ ଗାଡ଼ି ବାଲି ପରିବହନ କରୁଥିବାରୁ ଅଞ୍ଚଳର ରାସ୍ତାଘାଟ ବିପର୍ଯ୍ୟସ୍ତ ହେବା ସହ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେବଳ ଥରେ ଅଧେ ଲୋକ ଦେଖାଣିଆ ଟ୍ରାକ୍ଟର ଓ ଅନ୍ୟ ଛୋଟ ଗାଡି ଠାରୁ ଖଣି ବିଭାଗ ଓ ପୁଲିସ୍  ଫାଇନ ଆଦାୟ କରି ଚୁପ୍ ବସି ଯାଉଛନ୍ତି । କେବଳ ଫାଇନ ଆଦାୟ ନୁହେଁ ବରଂ ପରିବେଶ କ୍ଷୟକ୍ଷତି ଆକଳନ ସହ ଲୁଟ୍ ହୋଇଥିବା ବାଲିର ମୂଲ୍ୟ ଆକଳନ କରି ଏହାର ଭରଣା ପାଇଁ ଶ୍ରୀ ସାହୁ ଦାବି କରିଛନ୍ତି। ସେହିପରି ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ମନି ଲଣ୍ତରିଂ ଆଇନ୍-୨୦୦୨ର ଧାରା-୪ ଓ ଓଡ଼ିଶା ଲଘୁ ଖଣିଜ ପରିଚାଳନା ନିୟମ – ୨୦୧୬ର ଧାରା -୫୧ ଅନୁଯାଇ ଦଣ୍ତିତ କରିବାର ନିୟମ ଥିଲେ ମଧ୍ୟ ଏହା ଅନୁପାଳନ ହେଉନାହିଁ। କେନ୍ଦୁଝର ଜିଲ୍ଲାପାଳ ଆସନ୍ତା ୭ ଦିନ ମଧ୍ୟରେ ଏ ଦିଗରେ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ ନକଲେ ଆମେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବୁ ବୋଲି ଯଜ୍ଞ ପ୍ରସାଦ ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *