ପରିତ୍ୟକ୍ତ ଅବସ୍ଥାରେ ପଣ୍ଡୁଆ ଉପ ସ୍ୱାସ୍ଥ୍ୟ କେନ୍ଦ୍ର – ଅବହେଳାରେ ଜନସାଧାରଣ ବଞ୍ଚିତ, ପ୍ରଶାସନ ଓ ପଞ୍ଚାୟତ ଉପରେ ପ୍ରଶ୍ନଚିହ୍ନ
ତିର୍ତ୍ତୋଲ, ୦୭/୦୩ (ଖବର): ମନୋଜ କୁମାର ଜେନାଙ୍କ ରିପୋର୍ଟ
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧୀନରେ ଥିବା ପଣ୍ଡୁଆ ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ଦୟନୀୟ ଅବସ୍ଥା ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷର ସୃଷ୍ଟି କରିଛି। ପଞ୍ଚାୟତର ଶହଶହ ଲୋକ ଏହି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ସତ୍ତ୍ୱେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଚାରିପାଖରେ ଅନାବନା ଗଛ ଓ ଲତା-ଗୁଳ୍ମ ଭରିଥିବାବେଳେ ଡାକ୍ତରଖାନାଟି ବହୁଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନା ସରପଞ୍ଚଙ୍କ ଦୃଷ୍ଟି ପଡୁଛି, ନା ପ୍ରଶାସନ ଏହାପ୍ରତି କୌଣସି ଗୁରୁତ୍ୱ ଦେଉଛି। ଆହୁରି ଶୁଣିବାକୁ ମିଳୁଛି ଯେ, ଏହି ଡାକ୍ତରଖାନାର ଦାୟିତ୍ୱରେ ଥିବା କର୍ମଚାରୀ ନିୟମିତ ଭାବେ କେନ୍ଦ୍ରକୁ ଆସୁନାହାନ୍ତି। ବରଂ ଗ୍ରାମର ଏକ ନିର୍ଦ୍ଧିଷ୍ଟ ଘରରେ ବ୍ୟକ୍ତିଗତ ଭାବେ ଚିକିତ୍ସା ସେବା ଦେଇ ସନ୍ଧ୍ୟା ହେଲେ ନିଜ ଘରକୁ ଚାଲିଯାଉଛନ୍ତି। ଏହାର ଫଳରେ ରାତି ସମୟରେ ଯଦି କୌଣସି ଗର୍ଭବତୀ ମହିଳା କିମ୍ବା ଗୁରୁତର ରୋଗୀଙ୍କୁ ଔଷଧ ବା ଇଞ୍ଜେକ୍ସନ ଦରକାର ହୁଏ, ସେମାନେ ସେହି ଆବଶ୍ୟକ ସୁବିଧାରୁ ବଞ୍ଚିତ ହେଉଛନ୍ତି।
ଅଭିଯୋଗ ଆହୁରି ମଧ୍ୟ ରହିଛି ଯେ, ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବା ଦିନଠାରୁ ଏହା ସଠିକ୍ ଭାବରେ ଲୋକଙ୍କ କାମରେ ଆସୁନାହିଁ। ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ, ସରପଞ୍ଚ ସହ କିଛି ରାଜନୈତିକ ବ୍ୟକ୍ତିବିଶେଷ ବର୍ଷକୁ ଥରେ ରକ୍ଷଣାବେକ୍ଷଣ ପାଇଁ ଆସୁଥିବା ସରକାରୀ ଅନୁଦାନକୁ ହଡ଼ପ କରୁଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଯଦି କିଛି ଲୋକ ଏହାର ପ୍ରତିବାଦ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ ଭୟଭୀତ କରି ଚୁପ୍ କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି।
ସରକାରଙ୍କ ବହୁ ଅର୍ଥ ବ୍ୟୟରେ ନିର୍ମିତ ଏହି ପଣ୍ଡୁଆ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଯଦି ଏଭଳି ଅବହେଳାରେ ପଡି ରହିବ, ତେବେ ଗ୍ରାମାଞ୍ଚଳର ଲୋକମାନେ ମୌଳିକ ସ୍ୱାସ୍ଥ୍ୟ ସୁବିଧାରୁ ବଞ୍ଚିତ ହେବା ନିଶ୍ଚିତ। ତେଣୁ ସ୍ଥାନୀୟ ଲୋକମାନେ ଏହାପ୍ରତି ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ଉପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଚଳ କରିବା ସହ ଅଭିଯୋଗ ଉପରେ ତଦନ୍ତ କରି ଯଥୋଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
