ପରୀକ୍ଷାର ଶେଷ ଦିନେ ଦୁଃଖଦ ଦୁର୍ଘଟଣା: କୋଲାବ ଜଳଭଣ୍ଡାରରେ ବୁଡ଼ି ନବୋଦୟର ୩ ଛାତ୍ରଙ୍କ ମୃତ୍ୟୁ”

ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଅଭିଭାବକ:

କୋରାପୁଟ, ୭/୩ (ଖବର): ସ୍କୁଲରୁ ବିଦାୟ ନେଇ ଘରକୁ ଫେରିବାର ଆଶା ନେଇ ପରୀକ୍ଷା ଦେଇଥିବା ତିନିଜଣ ଛାତ୍ର ଚିରଦିନ ପାଇଁ ଦୁନିଆରୁ ବିଦାୟ ନେଇଥିବା ଦୁଃଖଦ ଘଟଣା କୋରାପୁଟ ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି। ପିଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀର ତିନିଜଣ ଛାତ୍ର ଉପର କୋଲାବ ଜଳଭଣ୍ଡାରରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଘଟଣା ନେଇ ଅଞ୍ଚଳରେ ଗଭୀର ଦୁଃଖ ଓ ଆକ୍ରୋଶ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ସିବିଏସଇ ଦ୍ୱାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷାର ଶେଷ ଦିନ ଥିବାରୁ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। କୋରାପୁଟ ପିଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କୋରାପୁଟ ବ୍ଲକ ମାଛରାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପରୀକ୍ଷା ଦେଉଥିଲେ। ଶନିବାର ପରୀକ୍ଷା ଶେଷ ହେବା ପରେ ସମସ୍ତେ ପ୍ରତିଦିନ ଭଳି ବିଦ୍ୟାଳୟକୁ ଫେରି ଆସିଥିଲେ।

ପରୀକ୍ଷା ଶେଷ ହେବା ସହ ଅଭିଭାବକମାନେ ନିଜ ପିଲାଙ୍କୁ ନେବା ପାଇଁ ସ୍କୁଲକୁ ଆସିଥିଲେ। ହେଲେ ଲକ୍ଷ୍ମୀପୁର ବ୍ଲକ ଓଡ଼ିଆପେଣ୍ଠ ପଞ୍ଚାୟତ ବିରିଗୁଡ଼ା ଗ୍ରାମର ସ୍ଵସ୍ତିକ ହାଲୱା, ଲମତାପୁଟର ଓମ ପ୍ରକାଶ ବେହେରା ଓ କୋରାପୁଟ ପୂଜାରିପୁଟର ଲିଙ୍ଗରାଜ ଖିଲଙ୍କୁ ନେବା ପାଇଁ ସମ୍ପର୍କୀୟମାନେ ବିଳମ୍ବରେ ପହଞ୍ଚିଥିଲେ। ସେହି ସମୟରେ ତିନିଜଣ ଛାତ୍ର ବିଦ୍ୟାଳୟ ନିକଟରେ ଥିବା ଉପର କୋଲାବ ଜଳଭଣ୍ଡାରକୁ ଗାଧୋଇବା ପାଇଁ ଯାଇଥିଲେ।

ଦୁର୍ଭାଗ୍ୟବଶତଃ ସେମାନେ ପହଁରା ଜାଣିନଥିବାରୁ ପ୍ରଥମେ ଜଣେ ଛାତ୍ର ଗଭୀର ପାଣିରେ ବୁଡ଼ିବାକୁ ଲାଗିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇଜଣ ମଧ୍ୟ ପାଣିରେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଘଟଣା ବିଷୟରେ ସ୍କୁଲ କର୍ତ୍ତୃପକ୍ଷ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କୁ ଉଦ୍ଧାର କରି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *