ମାଲିକକୁ ମାରିଦେଲା ବୋଲି, ଦାନାପାଣି ଛୁଉଁନି; ପଶ୍ଚାତାପ ନିଆଁରେ ଜଳୁଛି ଗାଈ

ବାଲେଶ୍ଵର,୨୬|୦୪|୨୦୨୬ : ରିପୋର୍ଟ ହ୍ରିତିକ ନାୟକ 

ପଶ୍ଚାତାପ ନିଆଁରେ ଜଳୁଛି। ଗୋଟିଏ ଜାଗାରେ ଶୋଇ ରହୁଛି, ଆଉ ଆଖିରୁ ଲୁହ ଗଡ଼ାଉଛି। ୧୩ ଦିନ ହେବ କିଛି ଖାଇବାକୁ ଦେଲେ ଖାଉନି କି କାହାକୁ ଚାହିଁନି ଗାଈ। ବାଲେଶ୍ବର ଜିଲ୍ଲା ରେମୁଣା ଖୁସାଲିଗଞ୍ଜର ଗାଁର ଏହି ହୃଦୟସ୍ପର୍ଶୀ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ଆଜିକୁ ୧୩ ଦିନ ହେଲାଣି ଗୋଟିଏ ଜାଗାରେ ଛିଡ଼ା ହୋଇ ରହୁଛି ଗାଈଟି । ୧୩ ଦିନ ତଳେ ସେ ଏମିତି ଏକ ପାପ କରିଦେଇଛି ଯେଉଁଥିପାଇଁ ପ୍ରତି ମୁହୂର୍ତ୍ତରେ ସେ ଅନୁତାପ ନିଆଁରେ ଛଟପଟ ହୋଇ ଜଳୁଛି । ସେଥିପାଇଁ ଟୋପେ ପାଣି ପିଉନି କି ଦାନା ମୁଠିଏ ବି ମୁହଁରେ ନେଉନି। ତା ମୁଣ୍ଡରେ ଲାଗିଛି ମାଲିକ ହତ୍ୟାର କଳଙ୍କ । ଯେଉଁ ମାଲିକ ତାକୁ ଛୋଟେବେଳୁ ପାଳି ବଡ଼ କରିଥିଲା ସେହି ମାଲିକଙ୍କୁ ସେ ଶିଙ୍ଗରେ ଠେଲି ମାରିଦେଇଛି । ଏବେ ମଣିଷ ମରା ଗାଈ ବୋଲି ଚାରିଆଡ଼େ ତାର ଅପଖ୍ୟାତି ପଡ଼ିଥିବା ବେଳେ ପାପ ମୁଣ୍ଡାଇ ଗୁମୁରି ଗାନ୍ଦୁଛି ଗାଈଟି । ଆଜିକୁ ୧୩ ଦିନ ହେଲାଣି ଗୋଟିଏ ଜାଗାରେ ଛିଡ଼ା ହେଉଛି, ସେଇଠି ଶୋଇ ଆଖିରୁ ଲୁହ ଗଡ଼ାଉଛି । କେହି କିଛି ଖାଇବାକୁ ଦେଲେ ମୁହଁ ଲଗାଉନି କି ଆଡ ଆଖିରେ ବି ଚାହୁଁନି । ପ୍ରତି ମୁହୂର୍ତ୍ତରେ ତାକୁ ତା ପାପ ଯେମିତି ଖାଇ ଗୋଡ଼ାଉଛି । ଘଟଣାଟି ବାଲେଶ୍ବର ଜିଲ୍ଲା ରେମୁଣା ଖୁସାଲିଗଞ୍ଜର । ଗାଁର ରାମଚନ୍ଦ୍ର ମହାରଣା ଗାଈଟିକୁ ଛୋଟବେଳୁ ପାଳିଥିଲେ ବି ଗତ ୧୨ ତାରିଖ ଦିନ ତାକୁ ଗାଁର ସିପୁନ ଦାସଙ୍କ ହାତକୁ ଟେକି ଦେଇଥିଲେ । ଛୋଟ ବେଳୁ ରାମଚନ୍ଦ୍ରଙ୍କ ସ୍ନେହଶ୍ରଦ୍ଧା ପାଇ ବଢ଼ିଥିବା ଗାଇଟି ଅନ୍ୟ କାହା ଘରକୁ ଯିବାକୁ ପସନ୍ଦ କରିନଥିଲା। ସିପୁନ ତାକୁ ନେବାକୁ ଚେଷ୍ଟା କଲା ବେଳେ ରାଗରେ ମାଲିକ ରାମଚନ୍ଦ୍ରଙ୍କୁ ଶିଙ୍ଗରେ ଠେଲି ତଳେ ପକାଇ ଦେଇଥିଲା ସେ।ତଳେ ପଡ଼ିଯାଇ ରାମଚନ୍ଦ୍ର ଗୁରୁତର ହୋଇପଡ଼ିଥିବା ବେଳେ ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତା ଆକ୍ରମଣରେ ମାଲିକ ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ଯେମିତି ଜାଣିପାରିଥିଲା ଗାଈଟି । ସେହି ଦିନ ଠାରୁ ଗାଁର ଏକ ନିର୍ଦ୍ଦିଷ୍ଟ ଜାଗାରେ ଅଖିଆ ଅପିଆ ପଡ଼ିରହି ଆଖିରୁ ଲୁହ ଗଡ଼ାଉଛି । ଗାଁ ଲୋକ ତାକୁ ଖାଇବାକୁ ଦେବାକୁ ଯେତେ ଚେଷ୍ଟା କରୁଥିଲେ ବି ଦାନା ମୁଠାଏ କି ପାଣି ଟୋପାଏ ମୁହଁକୁ ନେଉନି ସେ। ଗାଈଟି ଅଖିଆ ଅପିଆ ପଡ଼ିଥିଲା ବେଳେ ପ୍ରଥମ ମାଲିକଙ୍କ ପରିବାର ତାକୁ ଆଉ ଫେରାଇ ଆଣିବା ସପକ୍ଷରେ ନାହାନ୍ତି । ତାକୁ ଦେଖିଲେ ବାପାଙ୍କ ମୃତ୍ୟୁ କଥା ମନେ ପଡ଼ିବ, ତେଣୁ ଆଣୁନୁ ବୋଲି ରାମଚନ୍ଦ୍ରଙ୍କ ପୁଅ କହିଥିଲା ବେଳେ ମଣିଷ ମରା ଗାଈକୁ ଘରକୁ ନେବୁନି କହିଛନ୍ତି ଦ୍ବିତୀୟ ମାଲିକ । ଅନ୍ୟପକ୍ଷରେ ଗାଈଟିକୁ ସେମାନେ ନେଇ ଯତ୍ନ ନେବେ ବୋଲି କହିଛନ୍ତି ଗୋ ସେବକ। 

Leave a Reply

Your email address will not be published. Required fields are marked *