ମଜବୁତ ହେଉଛି ବିଜେପି, ପଦ୍ମ ଧରିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା


ଭୁବନେଶ୍ୱର, ୧୧।୦୩ (ଖବର) : ବିଜେଡି ଗଡ ଭାଙ୍ଗୁଛି, ବିଜେପି ମଜବୁତ ହେଉଛି। ପ୍ରାୟ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଂଚଳରୁ ନେତମାନେ ବିଜେପିରେ ମିଶୁଥିବା ବେଳେ ଏବେ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର କୁହାଯାଉଥିବା ବବି ଦାସଙ୍କ ସମ୍ପର୍କୀୟ ପଦ୍ମ ଧରିଛନ୍ତି। ପୂର୍ବତନ ସାଂସଦ ତଥା ପୂର୍ବତନ ବାଲେଶ୍ୱର ବିଜେଡି ଜିଲ୍ଲା ସଭାପତି ରବିନ୍ଦ୍ର ଜେନା ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ମିଶ୍ରଣ ବେଳେ ବାଲେଶ୍ୱର ଜିଲ୍ଲାର କିଛି ବିଧାୟକ ଉପସ୍ଥିତ ଥିଲେ। ରବିନ୍ଦ୍ର ଜେନାଙ୍କ ସହିତ ପଞ୍ଚାୟତ, ବ୍ଲକ୍‌ ସ୍ତରୀୟ ବିଜେଡି ନେତା ଓ ଛାତ୍ର ନେତା ବିଜେପିରେ ମିଶିଛନ୍ତି। ଇଡକୋ ପ୍ରଦର୍ଶନୀ ପଡିଆ ସାମ୍ନାରୁ ବିରାଟ ପଟୁଆରରେ ରବିନ୍ଦ୍ର ଜେନା ନିଜ ସମର୍ଥକଙ୍କ ସହ ପାର୍ଟି ଅଫିସରେ ପହଞ୍ଚିଥିଲେ। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରବୀନ୍ଦ୍ର ବିଜେଡିର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଥିଲେ। କେତେକ ବ୍ୟକ୍ତିଗତ କାରଣ ଏବଂ ପରିସ୍ଥିତି ନିମନ୍ତେ ବିଜେଡିରୁ ଅଲଗା ହେବାକୁ କଠିନ ନିଷ୍ପତ୍ତି ନେଇଛି ଓ ବିଜେଡି ସହ ମୋର ଦୀର୍ଘ ଦିନର
ସମ୍ପର୍କ ମୋ ପାଇଁ ଏକ ସ୍ମରଣୀୟ ଯାତ୍ରା ହୋଇ ରହିବ ବୋଲି ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ। ୨୦୧୪ ନିର୍ବାଚନରେ ରବୀନ୍ଦ୍ର ବାଲେଶ୍ୱର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ସେ ବିଜେପିର ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ।। ତେବେ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ତାଙ୍କୁ ଲୋକସଭା ଟିକେଟ ଦେଇ ନଥିଲା । କିନ୍ତୁ ତାଙ୍କ ପତ୍ନୀ ଶୁଭାଷିନୀଙ୍କୁ ବସ୍ତା ବିଧାନସଭା ଆସନରେ ପ୍ରାର୍ଥୀ କରିଥିଲା। ଶ୍ରୀମତି ଜେନା ବିଜେଡି ଟିକଟରେ ବସ୍ତା ଆସନରେ ବିଜୟୀ ହୋଇଥିଲେ।

Leave a Reply

Your email address will not be published. Required fields are marked *