ବିଜୁ ପଟ୍ଟନାୟକ ଙ୍କ ୧୧୦ତମ ଜୟନ୍ତୀ ପାଳନ
ହାଟଡିହି(ଖବର):- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜୟନ୍ତୀ ପାଳନ ହୋଇଯାଇଛି।କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳନିଆଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ,୩୭ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ଵାଳ,ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ,ରଙ୍ଗାଧର ମଲ୍ଲିକ,ବୀରେନ ବିଶ୍ଵାଳ,ଅମରେନ୍ଦ୍ର ଧଳ,ଦିପ୍ତିରଞ୍ଜନ ଦାସ ଙ୍କ ସମେତ ଶତାଧିକ ବିଜୁ ପ୍ରେମୀ ଉପସ୍ଥିତ ରହିଥିଲେ।ମେଡ଼ିକାଲ ରେ ଥିବା ରୋଗୀମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଫଳ ବଣ୍ଟନ କରିଥିଲେ ।ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ନୂଆ ଓଡ଼ିଶା ଗଠନ କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା।ସାହସୀ ଓ ନିର୍ଭୀକ ବ୍ୟକ୍ତିତ୍ଵ ଭାବେ ପ୍ରତିଟି ଓଡ଼ିଆଙ୍କ ମନରେ ସେ ରହିଛନ୍ତି।ବିଜୁବାବୁ ଥିଲେ ଏକ ଅଦ୍ଵିତୀୟ ବ୍ୟକ୍ତିତ୍ଵ, ଏକ ମହାନ୍ ଜନନାୟକ । ସ୍ୱାଧୀନତା ପରେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟ ଭାବେ ଗଢି ତୋଳିବା କୁ ସେ ଦେଖିଥିଲେ ସ୍ବପ୍ନ।୧୯୫୨ ମସିହା ରେ ଜଗନ୍ନାଥପ୍ରସାଦ ଓ ୧୯୫୭ ରେ ସୋରଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।୬୦ ଦଶକ ଆରମ୍ଭରୁ ରାଜ୍ୟ କଂଗ୍ରେସ ର ମଙ୍ଗ ଧରିଥିଲେ ବିଜୁବାବୁ। ବିଜୁବାବୁଙ୍କ ନେତୃତ୍ୱରେ ୧୪୦ ଆସନରୁ ୮୨ ଆସନ ଜିତିଥିଲା କଂଗ୍ରେସ।୧୯୬୧ ମସିହାରେ ମାତ୍ର ୪୫ ବର୍ଷ ବୟସରେ ବିଜୁ ପଟ୍ଟନାୟକ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ।ଆଧୁନିକ ଓଡ଼ିଶା ନିର୍ମାଣର ନିଆଁ ପଡ଼ିଥିଲା ବିଜୁଙ୍କ ହାତରେ ଓଡ଼ିଶାରେ ମୁଣ୍ଡ ଟେକିଥିଲା ବହୁ ଶିଳ୍ପ,କଳକାରଖାନା।ଅତିଥିମାନଙ୍କ ଭାଷଣ ମାଧ୍ୟମରେ ଏହି ସବୁ କଥା ଗୁଡ଼ିକୁ ବିଜୁ ପ୍ରେମୀ ମାନଙ୍କ ମଧ୍ୟରେ ମନେ ପକାଇ ଥିଲେ।
