ସାମ୍ବାଦିକଙ୍କୁ ମାଫିଆ ଆକ୍ରମଣ: ଏସପିଙ୍କୁ ଭେଟି ତୁରନ୍ତ ଗିରଫ ଦାବି କଲା କୁଜଙ୍ଗ ପ୍ରେସ କ୍ଲବ

ଜଗତସିଂହପୁର, ୨୫/୦୩ (ଖବର): ମନୋଜ କୁମାର ଜେନା: କୁଜଙ୍ଗ ଅଞ୍ଚଳରେ ବେଆଇନ ମାଟି ଉଠାଣ ଘଟଣା କଭରେଜ କରୁଥିବାବେଳେ ସାମ୍ବାଦିକଙ୍କ ଉପରେ ମାଫିଆଙ୍କ ଆକ୍ରମଣ ଘଟଣାକୁ ନେଇ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୁଇ ଦିନ ବିତିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିନଥିବାରୁ ସାମ୍ବାଦିକ ମହଳରେ ଅସନ୍ତୋଷ ଦେଖାଦେଇଛି। ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ ସକାଳ ସମୟରେ ବେଆଇନ ଭାବେ ମାଟି ଚାଲାଣ କରୁଥିବା ମାଫିଆମାନେ କୁଜଙ୍ଗର ସାମ୍ବାଦିକ ଦୁଷ୍ମନ୍ତ ମାଝୀଙ୍କୁ ନିର୍ମମ ଭାବେ ଆକ୍ରମଣ କରିଥିଲେ। ଘଟଣାବେଳେ ସେ ତାଙ୍କର କର୍ତ୍ତବ୍ୟ ପାଳନ କରୁଥିଲେ। ଏହି ଆକ୍ରମଣରେ ସେ ଆହତ ହୋଇଥିବା ବେଳେ, ଏପର୍ଯ୍ୟନ୍ତ ଦୋଷୀମାନେ ଆଇନର ଆଲୋକରେ ଆସିନଥିବା ଘଟଣାକୁ ନେଇ ସାଧାରଣ ମହଳରେ ପ୍ରଶ୍ନ ଉଠିଛି—ଯେଉଁଠି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସୁରକ୍ଷିତ ନୁହେଁ, ସେଠାରେ ସାଧାରଣ ଲୋକଙ୍କ ସୁରକ୍ଷା କେତେ ଦୂର ସୁନିଶ୍ଚିତ? ଆହତ ସାମ୍ବାଦିକ ଦୁଷ୍ମନ୍ତ ମାଝୀ କୁଜଙ୍ଗ ପ୍ରେସ କ୍ଲବର ସମ୍ପାଦକ ଥିବାରୁ, ପ୍ରେସ କ୍ଲବ ପକ୍ଷରୁ ତତ୍କ୍ଷଣାତ୍ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ମଧ୍ୟାହ୍ନରେ କୁଜଙ୍ଗ ପ୍ରେସ କ୍ଲବ ସଭାପତି ରଘୁନାଥ ସାହୁଙ୍କ ନେତୃତ୍ୱରେ ସାମ୍ବାଦିକ ରଂଜିତ ପଣ୍ଡା, ରାମଦାସ ମହାନ୍ତି ଓ ଅନ୍ୟାନ୍ୟ ସଦସ୍ୟମାନେ ପ୍ରଥମେ କୁଜଙ୍ଗ ଥାନା ଅଧିକାରୀଙ୍କୁ ଭେଟିଥିଲେ। ପରେ ସେମାନେ ଆହତ ସାମ୍ବାଦିକଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମାଙ୍କୁ ସାକ୍ଷାତ କରି ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଜଣାଇଥିଲେ। ଆଲୋଚନା ସମୟରେ ପାରାଦୀପ–କୁଜଙ୍ଗ ଅଞ୍ଚଳରେ ପୁଣିଥରେ ଚୋରା ବାଲି ଓ ମାଟି ସିଣ୍ଡିକେଟ ସକ୍ରିୟ ହୋଇଥିବା ସମ୍ପର୍କରେ ମଧ୍ୟ ସେମାନେ ଅଭିଯୋଗ ଉଠାଇଥିଲେ। ପ୍ରତାପପୁର, ଫତେପୁର ଓ ଜଳଧରପୁର ଇଡକୋ ଅଧିଗୃହୀତ ସରକାରୀ ଜମିରୁ ବେଆଇନ ଭାବେ କୋଟିକୋଟି ଟଙ୍କାର ମାଟି ଉଠାଯାଉଥିବା ଓ ଏଥିରୁ ଆଇନ-ଶୃଙ୍ଖଳା ପରିସ୍ଥିତି ଉଦ୍ଭବ ହେଉଥିବା ଉଲ୍ଲେଖ କରାଯାଇଥିଲା। ଏହି ପରିପ୍ରେକ୍ଷିତରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ କୁଜଙ୍ଗ ପୁଲିସକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *