କିଟ୍‍ ରେ ଏଫ୍‍ଆଇଭିବି ବିଶ୍ୱ ବିଚ୍‍ ଭଲିବଲ୍‍ ଚାମ୍ପିୟନ୍‍ସିପ୍‍ ୨୦୨୬ ଉଦ୍‍ଘାଟିତ


ଭୁବନେଶ୍ୱର, ୪ ।୩: (Khabar) ଭାରତରେ ପ୍ରଥମ ଥର ପାଇଁ କିଟ୍ ବିଶ୍ୱବିଦ୍ୟାଳୟରେ ଏଫ୍‌ଆଇଭିବି ବିଶ୍ୱ ବିଚ୍ ଭଲିବଲ୍ (ପୁରୁଷ ଓ ମହିଳା) ଚାମ୍ପିୟନ୍‌ସିପ୍ ବୁଧବାର ଉଦ୍‍ଘାଟିତ ହୋଇଯାଇଛି । ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ କିଟ୍ ଦୂତୀ ଚାନ୍ଦ ଷ୍ଟାଡ଼ିୟମ୍‍ ରେ ଚାଲିବାକୁ ଥିବା ଏହି ଚାମ୍ପିୟନ୍‍ସିପରେ ୫୨ ଦେଶରରୁ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଏଥିରେ ଅଲିମ୍ପିକ୍ ସ୍ୱର୍ଣ୍ଣପଦକ ବିଜେତାଙ୍କ ସମେତ ୩୦୬ ଖେଳାଳି ଓ ଅଫିସିଆଲ୍ ଯୋଗ ଦେଇଛନ୍ତି । ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯାଇଥିଲା ।
ଉଦଘାଟନୀ ଉତ୍ସବରେ ଓଡ଼ିଶା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟଅତିଥି ତଥା ଉଦ୍‍ଘାଟକ ଭାବେ ଯୋଗଦେଇ ଏହି ଉତ୍ସବକୁ କିଟ୍‍, ଓଡ଼ିଶା ରାଜ୍ୟ ଓ ସମଗ୍ର ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଥିଲେ । ପ୍ରଥମ ଥର ପାଇଁ ଏକ ଭାରତୀୟ ବିଶ୍ୱବିଦ୍ୟାଳୟ ଏତେ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ବିଚ୍ ଭଲିବଲ୍ ପ୍ରତିଯୋଗିତା ଆୟୋଜନ କରିବା ନିଶ୍ଚିତ ଭାବେ ଖୁସିର ବିଷୟ ବୋଲି ସେ କହିଥିଲେ । ଏହି ଚାମ୍ପିଅନସିପ୍ ଆୟୋଜନ ଦିଗରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉତ୍ସର୍ଗୀକୃତ ମନୋଭାବ ଓ ଦୃଷ୍ଟିକୋଣ ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଶ୍ରୀ ସାମନ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ସ୍ୱାଗତ ଭାଷଣ ଦେଇ ଶ୍ରୀ ସାମନ୍ତ କହିଲେ, ବିଶ୍ୱର ୫୨ଟି ବିଭିନ୍ନ ଦେଶରୁ ଆସିଥିବା ଖେଳାଳି ଓ କ୍ରୀଡ଼ା ପ୍ରତିନିଧିମାନେ ଭୁବନେଶ୍ୱରରେ ଏକତ୍ରିତ ହେବା କିଟ୍‍ ଓ ଓଡ଼ିଶା ପାଇଁ ଗର୍ବର ବିଷୟ। ଏହି ଚାମ୍ପିୟନ୍‍ସିପ୍‍ ଆୟୋଜନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସହଯୋଗ କରିଥିବାରୁ ଶ୍ରୀ ସାମନ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଫ୍‍ଆଇଭିବି ଟେକ୍‍ନିକାଲ ପ୍ରତିନିଧି ବ୍ଲେୟାର ହାରିସନ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କିଟ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ତଥା ଇଭେଣ୍ଟ ଡାଇରେକ୍ଟର ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *