ହାତୀ ପଲ ମଧ୍ୟରେ ଶାବକ ଜନ୍ମ, ଡ୍ରୋନରେ ନଜର ରଖୁଛି ବନ ବିଭାଗ

ବୌଦ୍ଧ: 3/3 ( ଭାଗବତ ମେହେର ) ବୌଦ୍ଧ ବନଖଣ୍ଡ ଅଧୀନ ବଲାସିଙ୍ଗା ସହରି ବନିକରଣ ଜଙ୍ଗଲ ଅଞ୍ଚଳରେ ବର୍ତ୍ତମାନ ୧୧ଟିକିଆ ହାତୀ ପଲ ଅବସ୍ଥାନ କରୁଛି। ଏହି ପଲ ମଧ୍ୟରେ ଗତ ତିନି ଦିନ ତଳେ ଏକ ହାତୀ ଶାବକର ଜନ୍ମ ହୋଇଥିବା ସୂଚନା ମିଳିଛି। ନବଜାତ ଶାବକ ସହ ହାତୀ ପଲର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଦିନରାତି କଡା ନଜରଦାରି ବ୍ୟବସ୍ଥା କରାଯାଇଛି। ସୂଚନା ଅନୁଯାୟୀ, ଚାରିଦିନ ପୂର୍ବେ ଆଠମଲିକ ବନଖଣ୍ଡ ଅଞ୍ଚଳରୁ ମହାନଦୀ ଡେଇଁ ୧୩ଟିକିଆ ହାତୀ ପଲ ବୌଦ୍ଧ ଅଞ୍ଚଳକୁ ପ୍ରବେଶ କରିଥିଲା। କିଛି ଚାଷୀଙ୍କ ଫସଲ ନଷ୍ଟ ହେବା ପରେ ବନ ବିଭାଗ ସେମାନଙ୍କୁ ମହାନଦୀର ଅପରପାର୍ଶ୍ୱକୁ ଘଉଡ଼ାଇ ଦେଇଥିଲା। କିନ୍ତୁ ପରଦିନ ଦୁଇଟି ହାତୀ ଅଲଗା ରହିଯାଇ ୧୧ଟିକିଆ ହାତୀ ପଲ ପୁନର୍ବାର ମହାନଦୀ ଡେଇଁ ବଲାସିଙ୍ଗା ପ୍ଲାଣ୍ଟେସନ ଅଞ୍ଚଳକୁ ଫେରିଥିବା କୁହାଯାଉଛି। ଏହି ପଲ ମଧ୍ୟରେ ଥିବା ଗର୍ଭଣୀ ହାତୀଟି ଏକ ସୁରକ୍ଷିତ ଓ ଶାନ୍ତ ସ୍ଥାନ ଚିହ୍ନଟ କରି ଶାବକକୁ ଜନ୍ମ ଦେଇଥିବା ବୋଲି ବୌଦ୍ଧ ଡିଏଫଓ ରାଜେନ୍ଦ୍ର ଗୋଛାୟତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ହାତୀମାନେ ସାଧାରଣତଃ ଶାବକ ଜନ୍ମ ପୂର୍ବରୁ ନିରାପଦ ଓ ନିର୍ଜନ ସ୍ଥାନ ବାଛିଥାନ୍ତି। ବର୍ତ୍ତମାନ ବନ କର୍ମଚାରୀମାନେ ଜଙ୍ଗଲରେ ଶିବିର କରି ହାତୀ ପଲ ଉପରେ କଡା ନଜର ରଖିଛନ୍ତି। ଡ୍ରୋନ କ୍ୟାମେରା ମାଧ୍ୟମରେ ମଧ୍ୟ ସେମାନଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି। ଅଞ୍ଚଳବାସୀଙ୍କୁ ସଚେତନ ରହିବାକୁ ଅନୁରୋଧ କରାଯାଇଛି। ଏପଟେ କିଛି ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। କ୍ଷୟକ୍ଷତିର ସଠିକ ଆକଳନ ପରେ ପୀଡ଼ିତ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *