୨୪ ଘଣ୍ଟା ମଧ୍ୟରେ ବଡ ସଫଳତା: ଦୁଇ ପେଷାଦାର ଡକାୟତ ପୋଲିସ ଜାଲରେ
କୋରାପୁଟ ୨୩/୧/୨୬ କୋରାପୁଟ ଟାଉନ ଥାନା ପୋଲିସ ପୁଣିଥରେ ନିଜ କାର୍ଯ୍ୟକୁଶଳତା ପ୍ରମାଣ କରିଛି। ଏତଲା ଦେବାର ୨୪ ଘଣ୍ଟା ମଧ୍ୟରେ ଦୁଇ ଜଣ ପେଷାଦାର ଡକାୟତଙ୍କୁ ଗିରଫ କରି ପୋଲିସ ବଡ ସଫଳତା ହାସଲ କରିଛି। ୨୨ ତାରିଖ ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ କୋରାପୁଟ ଅମଲା କୁଟୀର ରୋଡର ବାସିନ୍ଦା ଡି. ରାମକୃଷ୍ଣା ରେଲୱେ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ସରକାରୀ ମହିଳା କଲେଜ ଛକ ନିକଟରେ ଦୁଇ ଜଣ ଯୁବକ ପଲସର ବାଇକରେ ଆସି ତାଙ୍କୁ ଅଟକାଇ ଲୁଟପାଟ କରିଥିଲେ। ମରଣାନ୍ତକ ଆକ୍ରମଣ ସହ ୪୦ ହଜାର ଟଙ୍କା ମୂଲ୍ୟର ମୋବାଇଲ ଫୋନ ଛିନିନେଇ ସେମାନେ ପଳାଇଯାଇଥିଲେ। ଘଟଣା ପରେ ସାଙ୍ଗେସାଙ୍ଗେ ଏତଲା ମିଳିବା ସହ ସବ୍ଇନ୍ସପେକ୍ଟର ଉମେଶ କୁମାର ଧାରୁଆଙ୍କ ନେତୃତ୍ୱରେ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରେ ଓଡ଼ିଆଗୁଡା ଗ୍ରାମର କରଣ କୁଲଦୀପ ଓ ଅଭିଷେକ ଖରାଙ୍କୁ ଗିରଫ କରାଯାଇ ଲୁଟ ହୋଇଥିବା ମୋବାଇଲ ଓ ପଲସର ବାଇକ ଜବତ କରାଯାଇଛି। ଏହି ସୂଚନା କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ବେଳେ ଟାଉନ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ଉପସ୍ଥିତ ଥିଲେ। ସାଧାରଣ ମଧ୍ୟରେ ଏହାକୁ ପୋଲିସର ଏକ ବଡ ସଫଳତା ଭାବେ ପ୍ରଶଂସା କରାଯାଉଛି।
