ଭୁଲ ଇଞ୍ଜେକ୍ସନ ପାଇଁ  ଯୁବକଙ୍କ ଜୀବନ ଦୀପ  ନିଭିଲା, ବାହୁନି କାନ୍ଦୁଚି ମାଁ 

ବୌଦ୍ଧ 5/3 ( ଭାଗବତ ମେହେର ) ସାଧାରଣ ଅସୁସ୍ଥତା ପାଇଁ ମେଡିକାଲକୁ ଯାଇଥିବା ଜଣେ ୨୩ ବର୍ଷୀୟ ଯୁବକଙ୍କ ଅକାଳ ମୃତ୍ୟୁ ଘଟିବା ଘଟଣା ପୁରୁଣାକଟକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପରିବାର ପକ୍ଷରୁ ଭୁଲ ଇଞ୍ଜେକ୍ସନ ଦେବା ଅଭିଯୋଗ ଉଠିଥିବା ବେଳେ, ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ପୁରୁଣାକଟକ ମେଡିକାଲ ସାହି ପଛପଟେ ବସୁଥିବା ପୁରନ୍ଦର ନାଏକଙ୍କ ପୁଅ ସୁବ୍ରତ ନାଏକ (୨୩) ସକାଳୁ ଶରୀର ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ପୁରୁଣାକଟକ ମେଡିକାଲକୁ ନେଇଥିଲେ। ଡାକ୍ତରଙ୍କ ପରାମର୍ଶ ପରେ ବରିଷ୍ଠ ନର୍ସ ଭାରତୀ ବେହେରା ତାଙ୍କୁ ଇଞ୍ଜେକ୍ସନ ଦେଇଥିବା କୁହାଯାଉଛି। ହେଲେ ଇଞ୍ଜେକ୍ସନ ଦେବା ପରେ କିଛି ସମୟ ମଧ୍ୟରେ ସୁବ୍ରତଙ୍କ ଅବସ୍ଥା ଗୁରୁତର ହୋଇ ସେ ବେହୋସ ହୋଇପଡିଥିଲେ। ପରେ ତାଙ୍କୁ ତୁରନ୍ତ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିବା ପରିବାର ପକ୍ଷରୁ କୁହାଯାଇଛି। ଯେଉଁ ମା’ ପୁଅକୁ ସୁସ୍ଥ କରିବା ଆଶାରେ ମେଡିକାଲକୁ ନେଇଥିଲେ, ସେହି ମା’ ପୁଅର ନିର୍ଜୀବ ଦେହକୁ ଦେଖି ଭାଙ୍ଗିପଡିଥିବା ଦୃଶ୍ୟ ହୃଦୟବିଦାରକ ଥିଲା। ପରିବାର ଲୋକଙ୍କ ଦାବି ଅନୁସାରେ, ମେଡିକାଲର ଅବହେଳା ଓ ଦାୟିତ୍ୱହୀନତା ପାଇଁ ଏହି ମୃତ୍ୟୁ ଘଟିଛି। ଘଟଣା ପରେ ଉତ୍ତେଜିତ ଲୋକେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ସହିତ ମେଡିକାଲରେ ତାଲା ପକାଇ ପ୍ରତିବାଦ କରିଥିଲେ। ପୁରୁଣାକଟକ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଏପଟେ ବୌଦ୍ଧ ମେଡିକାଲ ଅଫିସର ସଂଘମିତ୍ରା ପଣ୍ଡା କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି ଏବଂ ପୋଷ୍ଟମର୍ଟମ୍ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ସାଧାରଣ ଅସୁସ୍ଥତା କିପରି ଜଣେ ଯୁବକଙ୍କ ଜୀବନ ନେଲା? ଚିକିତ୍ସା ତ୍ରୁଟି କି ଅନ୍ୟ କୌଣସି କାରଣ? ପୋଷ୍ଟମର୍ଟମ୍ ରିପୋର୍ଟ ପରେ ହିଁ ସତ୍ୟ ପ୍ରକାଶ ପାଇବ ବୋଲି କୁହାଯାଉଛି । ଏପଟେ ପରିବାର ଲୋକେ କ୍ଷତିପୂରଣ ସହ ଘଟଣାର ସଠିକ୍ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହେଉଛି ! 

Leave a Reply

Your email address will not be published. Required fields are marked *