ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ମହାଆଡମ୍ବରରେ ପାଳିତ
ଫୁଲନଖରା :ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ କଟକ ସଦର ଥାନା ଅନ୍ତର୍ଗତ ତେଲେଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ଶ୍ରଦ୍ଧା, ଭକ୍ତି ଓ ଗମ୍ଭୀର ପରିବେଶ ମଧ୍ୟରେ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନଙ୍କ ଆୟୋଜନରେ ହୋଇଥିବା ଏହି କାର୍ୟ୍ୟକ୍ରମରେ ଗାନ୍ଧୀଜୀଙ୍କ ଅମର ଆଦର୍ଶ ଓ ଅହିଂସା ନୀତିକୁ ସ୍ମରଣ କରାଯାଇଥିଲା। କାର୍ୟ୍ୟକ୍ରମର ପ୍ରାରମ୍ଭରେ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ୍ୟାର୍ପଣ କରିବା ସହ ପତାକା ଉତ୍ତୋଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଜାତିର ପିତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସର୍ବଧର୍ମ ସମଭାବର ପ୍ରତୀକ ଭାବରେ ସଭା ପ୍ରାରମ୍ଭରେ ଗୀତା, କୋରାନ୍ ଓ ବାଇବେଲ ପାଠ କରାଯାଇଥିଲା, ଯାହା ଗାନ୍ଧିଜୀଙ୍କ ଧାର୍ମିକ ସହିଷ୍ଣୁତା ଓ ମାନବତାବାଦୀ ଚିନ୍ତାଧାରାକୁ ପ୍ରତିବିମ୍ବିତ କରିଥିଲା। ଏହି କାର୍ୟ୍ୟକ୍ରମରେ ସି.ଏମ୍.ସି କମିଶନର ସୁଶ୍ରୀ କିରଣଦୀପ କୌର ସହୋଟା, ଅତିରିକ୍ତ ଜିଲ୍ଲାପାଳ, ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରତାପ ରାଉତରାୟ, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ମମତା ମହାନ୍ତିଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ, ସମାଜସେବୀ ଓ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ। ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ ମହାତ୍ମା ଗାନ୍ଧୀଙ୍କ ଅହିଂସା, ସତ୍ୟ ଓ ନୀତିର ଆଦର୍ଶକୁ ଦୈନନ୍ଦିନ ଜୀବନରେ ଅନୁସରଣ କରିବାକୁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଥିଲେ। ଗାନ୍ଧୀଜୀଙ୍କ ଦର୍ଶନ ଆଜିର ସମାଜ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ସେ ମତ ପ୍ରକାଶ କରିଥିଲେ। ଏହି ଅବସରରେ କର୍ପୋରେଟର ଶ୍ରୀମତୀ ମମତା ମହାନ୍ତି “ଅହିଂସା ହିଁ ପରମ ଧର୍ମ” ବୋଲି ଉଲ୍ଲେଖ କରି ଗାନ୍ଧିଜୀଙ୍କ ଶାନ୍ତି ଓ ସହଅବସ୍ଥାର ସନ୍ଦେଶକୁ ସ୍ମରଣ କରିଥିଲେ। ସୂଚନା ଅନୁଯାୟୀ, ଏହି ସ୍ମୃତି କାର୍ୟ୍ୟକ୍ରମ ତିନି ଦିନ ଧରି ପାଳନ କରାଯିବ । ଏହାର ଅଂଶ ଭାବେ ଆଲୋଚନା ସଭା, ସାଂସ୍କୃତିକ କାର୍ୟ୍ୟକ୍ରମ ଓ ଗାନ୍ଧୀ ଦର୍ଶନ ଉପରେ ବିଭିନ୍ନ କାର୍ୟ୍ୟସୂଚୀ ଆୟୋଜିତ ହେବ। କାର୍ୟ୍ୟକ୍ରମରେ
ବହୁ ବୁଦ୍ଧିଜୀବୀ, ସମାଜସେବୀ, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକମାନଙ୍କ ଉପସ୍ଥିତି ଗାନ୍ଧୀଜୀଙ୍କ ପ୍ରତି ସାଧାରଣ ଲୋକଙ୍କ ଅଗାଧ ଶ୍ରଦ୍ଧାକୁ ପ୍ରତିଫଳିତ କରିଥିଲା।
