ମୁକ୍ତେଶ୍ଵର ନୃତ୍ୟ ଉତ୍ସବ ୨୦୨୬ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୩ ଜାନୁଆରୀ ୨୦୨୬ ଓଡିଶୀ ନୃତ୍ୟର ମହାକୁମ୍ଭ ମୁକ୍ତେଶ୍ଵର ନୃତ୍ୟ ଉତ୍ସବ ୨୦୨୬ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ସ୍ଥିତ ମୁକ୍ତେଶ୍ଵର ମନ୍ଦିର ପରିସରରେ ଆଜିଠାରୁ ତିନିଦିନିଆ ମୁକ୍ତେଶ୍ଵର ନୃତ୍ୟ ଉତ୍ସବ ୨୦୨୬ ଆରମ୍ଭ ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ପ୍ରତ୍ୟହ ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡିଶୀ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଏଠାରେ ନୃତ୍ୟ ପରିବେଷଣ କରାଯିବ। ଏହି ନୃତ୍ୟ ଉତ୍ସବକୁ ଉଦଘାଟନ କରିବା ସହିତ ମୁକ୍ତେଶ୍ଵର ମନ୍ଦିରର ଅନନ୍ୟ ସ୍ଥାପତ୍ୟ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶୀ ନୃତ୍ୟର ଆଦୃତି ପାଇଁ ଏହି ଉତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକାଗ୍ରହଣ କରି ଆସିଛି। ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ଏଠାରେ ନୃତ୍ୟୋତ୍ସବ ଅନୁଷ୍ଠିତ ହେଉଛି। ଏହି ଉତ୍ସବ ପର୍ଯ୍ୟଟକ ଓ ସଂସ୍କୃତିପ୍ରେମୀଙ୍କ ପାଇଁ ଭୁବନେଶ୍ୱରର ଅନନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲଟିଛି। ଏହା ମାଧ୍ୟମରେ ଆମର ଏହି ପ୍ରସିଦ୍ଧ ପ୍ରତ୍ନତାତ୍ତ୍ଵିକ ବିଭବର ପ୍ରଚାର ପ୍ରସାର ହେବା ସହିତ ଓଡିଶୀ ନୃତ୍ୟର ଆଦୃତି ବଢୁଛି । ଏହି କାର୍ଯ୍ୟକ୍ରମରେ, ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ, ସଂସ୍କୃତି ସଚିବ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ, ଶ୍ରୀ ଦେବ ପ୍ରସାଦ ଦାଶ, ସଂଗୀତ ନାଟକ ଏକାଡେମୀର ସଚିବ ଡ଼ଃ ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *