ନିଜ ଘରକୁ ଫେରିଲେ ତିନିଦିନ ନିଖୋଜ ଥିବା ନାବାଳିକା ଛାତ୍ରୀ
ପାଠ ପଢିବାରେ ଇଚ୍ଛା ନଥିବାରୁ ଘରୁ ପଳାଇଥିବା କଲେ ପ୍ରକାଶ
ବୌଦ୍ଧ, ୦୨/୦୩ (ଭାଗବତ ମେହେର): ମେଟ୍ରିକ ପରୀକ୍ଷା ଦେବାକୁ ଯାଇ ଅଧବାଟରୁ ନିଖୋଜ ହୋଇଥିବା ଜଣେ ନାବାଳିକା ଛାତ୍ରୀ ତିନି ଦିନ ପରେ ଘରକୁ ଫେରିଥିବା ବେଳେ ଏପରିକି ସୁସ୍ଥ ଅବସ୍ଥାରେ ଫେରିଥିବା ଜଣାପଡ଼ିଛି!। ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ରାମ୍ଭିକଟା ଗାଁର ଉକ୍ତ ଛାତ୍ରୀ ବୀରନରସିଂପୁର ସ୍ଥିତ ସାଧୁଚରଣ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିଲେ। ଗତ ୨୫ ତାରିଖରେ ସେ ହରେକୃଷ୍ଣପୁର ଗୋପବନ୍ଧୁ ହାଇସ୍କୁଲରେ ମେଟ୍ରିକ ପରୀକ୍ଷା ଦେବା ପାଇଁ ଘରୁ ବାହାରିଥିଲେ। କିନ୍ତୁ ପରୀକ୍ଷା କେନ୍ଦ୍ରକୁ ସେ ପହଞ୍ଚିନଥିବା ଜଣାପଡିଥିଲା। ପରୀକ୍ଷା କେନ୍ଦ୍ରରେ ଛାତ୍ରୀଙ୍କ ଅନୁପସ୍ଥିତି ସମ୍ପର୍କରେ ସ୍କୁଲ ପକ୍ଷରୁ ପରିବାରକୁ ଖବର ଦିଆଯାଇଥିଲା। ଘରକୁ ମଧ୍ୟ ଫେରିନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତିନି ଦିନ ଧରି ଖୋଜାଖୋଜିରେ ବିଫଳ ହେବା ପରେ ବୌଦ୍ଧ ଆଦର୍ଶ ଥାନାରେ ନିଖୋଜ ଅଭିଯୋଗ ରୁଜୁ କରାଯାଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାଟି ଗଣମାଧ୍ୟମରେ ପ୍ରଚାର ପାଇବା ପରେ ନୂତନ ମୋଡ଼ ନେଇଥିଲା। ପରେ ଜଣାପଡିଥିଲା ଯେ ଛାତ୍ରୀ ପଡ଼ୋଶୀ ନୟାଗଡ଼ ଜିଲ୍ଲା ବାଣୀଗୋଛା ଅଞ୍ଚଳରେ ଥିବା ତାଙ୍କ ମାମୁଁ ଘରେ ରହୁଥିଲେ। ସୂଚନା ପାଇ ବୌଦ୍ଧ ପୋଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରି ବୟାନ ରେକର୍ଡ କରିଥିଲା।
