୧୬ତମ ମାର୍ଗି ଉତ୍ସବ ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀରଙ୍କୁ ‘ମାର୍ଗି ଜୀବନବ୍ୟାପୀ ସାଧନା ସମ୍ମାନ-୨୦୨୬’
ଭୁବନେଶ୍ୱର:-(AKHABAR) ନୃତ୍ୟଶାଳା ଓ ମାସିକ ସାଂସ୍କୃତିକ ପତ୍ରିକା କଳାକୃତିର ମିଳିତ ସହଯୋଗରେ ୧୬ତମ ଶାସ୍ତ୍ରୀୟ ନୃତ୍ୟଉତ୍ସବ ‘ମାର୍ଗୀ’ ରବିନ୍ଦ୍ର ମଣ୍ଡପଠାରେ ଉଦ୍ଘାଟିତ ହୋଇ ଯାଇଛି। ଉଦ୍ଘାଟନୀ ସନ୍ଧ୍ୟାରେ ଅତିଥିଭାବେ ମାନ୍ୟବର ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂହ, ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ଡ. ଚନ୍ଦ୍ରଶେଖର ହୋତା, ଗୁରୁ ରାମହରି ଦାସ, ଗୁରୁ ରତିକାନ୍ତ ମହାପାତ୍ର, ନୃତ୍ୟଶାଳାର ନିର୍ଦ୍ଦେଶକ ଗୁରୁ ଅଶୋକ କୁମାର ଘୋଷାଲ ପ୍ରମୁଖ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଦୀର୍ଘ ବର୍ଷ ବର୍ଷ ଧରି ମାର୍ଗି ଉତ୍ସବ ସଫଳତାର ସହ ଆୟୋଜିତ ହେବା ସହ ଶାସ୍ତ୍ରୀୟ ନୃତ୍ୟକୁ ପ୍ରଚାର କରିବା ସହିତ ପ୍ରବୀଣ ଓ ନବୀନ ଶିଳ୍ପୀମାନଙ୍କୁ ଗୋଟାଏ ମଂଚରେ ନୃତ୍ୟ କରିବାର ସୁଯୋଗ ଦେବାର ଏହି ପ୍ରୟାସକୁ ଅତିଥିମାନେ ପ୍ରଶଂସା କରିଥିଲେ। ଏହି ଅବସରରେ ପ୍ରତିଷ୍ଠିତ ଓଡିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀରଙ୍କୁ ‘ମାର୍ଗି ଜୀବନ ବ୍ୟାପୀ ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରତିଷ୍ଠିତ ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନୃତ୍ୟରୁ, ଓଡିଶୀ ନୃତ୍ୟର ପ୍ରତିଷ୍ଠିତ ଆଦିଗୁରୁ ଦେବପ୍ରସାଦ ଦାସଙ୍କ ଶୈଳୀକୁ ଯେଉଁ କେତେଜଣ ଅନୁସରଣ କରୁଛନ୍ତି ସେମାନଙ୍କ ଭିତରୁ ଗୁରୁ ଗଜେନ୍ଦ୍ର ପଣ୍ଡା ଅନ୍ୟତମ। ଗୁରୁଙ୍କ ନୃତ୍ୟ ସଂରଚନାରେ ପ୍ରଥମେ ସେ ଅଭିନୟ କରିଥିଲେ ଶିବାଷ୍ଟକ, ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଓଡିଶୀ ନୃତ୍ୟକୁ ଚମତ୍କାର ଭାବେ ପରିବେଷଣ କରିଥିଲେ। ଶକ୍ତି, ଅନୁଗ୍ରହ ଏବଂ ବ୍ରହ୍ମାଣ୍ଡ ଶକ୍ତି ସମ୍ମିଶ୍ରଣରେ ସଂସ୍କୃତ ଭଜନରେ ରୂପାୟିତ ଏହି ଅଭିନୟ ଅତି ଚମତ୍କାର ଥିଲା। ଭଗବାନ ଶିବଙ୍କର ବିଭିନ୍ନ ଗୁଣ ଏବଂ ପ୍ରକାଶନକୁ ଚିତ୍ରଣ କରିବା ପାଇଁ ଶିଳ୍ପୀ ଯଥାରିତି ପ୍ରଚେଷ୍ଠା କରିଥିଲେ। ନୃତ୍ୟ ସଂରଚନାରେ ଭିନ୍ନ ଭିନ୍ନ ଶକ୍ତି ଏବଂ ଭକ୍ତିର ଗଭୀରତା ପ୍ରଦର୍ଶନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ପରିବେଷଣ କରିଥିଲେ ନବରସ। ଓଡିଶୀ ନୃତ୍ୟରେ ଏହା ଏକ ସୈାନ୍ଦର୍ଯ୍ୟଗତ ସ୍ୱାଦ, ଯାହା ଦର୍ଶକଙ୍କୁ ବିମୋହିତ କରିଥାଏ। ଏହି ଅଭିନୟ ନୃତ୍ୟରେ ପ୍ରେମ, ବୀରତ୍ୱ, କରୁଣା, ଆଶ୍ଚର୍ଯ୍ୟ, ହସ, ଭୟ, ଘୃଣା, କ୍ରୋଧ ଏବଂ ଶାନ୍ତି ଓ ଭାବପ୍ରବଣତାକୁ ଅତି ଭାବମୟ ଭାବରେ ମଂଚରେ ପ୍ରଦର୍ଶନ କରି ଦର୍ଶକଙ୍କୁ ଅଭିଭୂତ କରିଥିଲେ। ଗୁରୁ ଦେବ ପ୍ରସାଦଙ୍କ ଦ୍ୱାରା ସଂରଚିତ ଏହି ନୃତ୍ୟ ରାଗ-ରାଗମାଳିକା ଏବଂ ତାଳ-ତାଳମାଳିକା ଉପରେ ପର୍ଯ୍ୟବେଷିତ ଥିଲା। ଦ୍ୱିତୀୟ ଚରଣରେ ନୃତ୍ୟ ଅଭିନୟ କରିଥିଲେ ଗୁରୁ ଶିଳ୍ପୀ ବନ୍ଦିତା ଘୋଷାଲ। ରାଧାକୃଷ୍ଣଙ୍କ ନୈସର୍ଗିକ ପ୍ରେମ ‘ମୁଁ ତ ଜାଣି ଜାଣି କରିଚି ମାନ..ଗୀତରେ ଅଭିନୟ କରିଥିଲେ। ପୁରାତନ କବି ଗୋପାଳକୃଷ୍ଣଙ୍କ ରଚନାର ଏହି ନୃତ୍ୟ ରାଧା କୃଷ୍ଣଙ୍କ ପ୍ରେମରେ ଅଭିମାନର ମହତ୍ୱକୁ ବଖାଣିବାର ଚେଷ୍ଠା କରିଥିଲେ। ଯାହାକୁ ଗୁରୁ ଅଶୋକ କୁମାର ଘୋଷାଲ ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତରେ ସଜାଇଥିଲେ ହିମାଂଶୁଶେଖର ସ୍ୱାଇଁ। ପରେ ଦ୍ୱୈତ ନୃତ୍ୟରେ ଗାୟତ୍ରୀ ପ୍ରଧାନ ଓ ମନୋଜ ପ୍ରଧାନ ନୃତ୍ୟ କରିଥିଲେ। ଶେଷରେ ଦଳଗତ ନୃତ୍ୟ ଗୁରୁ ପୁଷ୍ପିତା ମିଶ୍ର ଓ ସାଥିକଳାକାରଙ୍କ ଦ୍ୱାରା ପରିବେଷିତ ହୋଇଥିଲା ‘ଉଦ୍ବୋଧନ’। ଓଡିଶାର ଐତିହ୍ୟ, ସଂସ୍କୃତି ତଥା ଦେଶପ୍ରେମ, ବୀରତ୍ୱର ଗାରିମାମୟ ଗାଥାକୁ ନୃତ୍ୟରେ ପରିବେଷଣ କରିଥିଲେ। ପଣ୍ଡିତ ଗୋଦାବରିଶ ମିଶ୍ରଙ୍କ ସୃଷ୍ଟିକୁ ଚମତ୍କାର ଭାବେ ଶିଳ୍ପୀମାନେ ପରିବେଷଣ କରିଥିଲେ। ରାଗ-ରାଗ ମାଳିକା, ତାଳ-ତାଳ ମାଳିକାରେ ନିବଦ୍ଧ ଏହି ନୃତ୍ୟକୁ ଗୁରୁ ପୁଷ୍ପିତା ମିଶ୍ର ସଂଯୋଜାନା କରିଥିଲେ। କାର୍ଯ୍ୟକ୍ରମକୁ ଡ. ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିବା ବେଳେ ଆଲୋକ ସମ୍ପାଦନ ରମେଶ ଚନ୍ଦ୍ର ଜେନା କରିଥିଲେ।
