ଆର୍ଟ ଅଫ୍ ଗିଭିଂ ୨୦୨୬ର ଥିମ୍ ଉନ୍ମୋଚିତ
ଭୁବନେଶ୍ୱର: ଆର୍ଟ ଅଫ୍ ଗିଭିଂର ଚଳିତ ବର୍ଷର ଥିମ୍ ବୁଧବାର ଉନ୍ମୋଚନ ହୋଇଛି। ଆର୍ଟ ଅଫ୍ ଗିଭିଂର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହାକୁ ଉନ୍ମୋଚନ କରିଥିଲେ। ଆର୍ଟ ଅଫ୍ ଗିଭିଂ ଚଳିତ ବର୍ଷର ଥିମ୍ ରଖାଯାଇଛି ‘ସେୟାର ଟୁ ସାଇନ୍’। ସୂଚନାଯୋଗ୍ୟ, ଶିକ୍ଷାବିତ୍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ୨୦୧୩ ମସିହାରେ ଆର୍ଟ ଅଫ୍ ଗିଭିଂ ଆରମ୍ଭ ହୋଇଥିଲା। ଆର୍ଟ ଅଫ୍ ଗିଭିଂ ମାଧ୍ୟମରେ ସମାଜରେ ସହଭାଗିତା, ସହଯୋଗ ଓ ସୌହାର୍ଦ୍ଦ୍ୟକୁ ଆହୁରି ମଜବୁତ କରିବା ସହ ସମାଜରେ ଦାନ ଓ ସେବା ମାଧ୍ୟମରେ ସମାଜରେ ଶାନ୍ତି, ସଦଭାବନା ଓ ଭାଇଚାରର ପ୍ରଚାର ପ୍ରସାର ହେଉଛି ଏହାର ମୂଳ ଉଦ୍ଦେଶ୍ୟ। ଶ୍ରୀ ସାମନ୍ତ ଏହି ଅଭିଯାନ ମାଧ୍ୟମରେ ମନୁଷ୍ୟ ମଧ୍ୟରେ ମାନବିକତା, ସହାନୁଭୂତି ଓ ନିଷ୍କାମ ସେବାର ଭାବନାକୁ ଜାଗୃତ କରିବାରେ ଜୋର ଦେଇ ଆସୁଛନ୍ତି। ଏହାକୁ ଉନ୍ମୋଚନ କରି ଶ୍ରୀ ସାମନ୍ତ କହିଲେ, ଏହି ଅଭିଯାନ ଆଜି ଏକ ବିଶ୍ୱସ୍ତରରେ ପହଞ୍ଚି ପାରିଛି। ବିଭିନ୍ନ ଦେଶର ଅଂଶଗ୍ରହଣକାରୀମାନେ ପ୍ରତିବର୍ଷ ଏହାର କାର୍ଯ୍ୟକଳାପରେ ସକ୍ରିୟ ଭାବରେ ସାମିଲ ହେଉଛନ୍ତି। ପ୍ରତିବର୍ଷ ଏହି ଅଭିଯାନ ଏକ ନୂତନ ଥିମ୍ ନେଇ ଆସିଥାଏ, ଯାହା ମାଧ୍ୟମରେ ଲୋକମାନେ ନିଜର ସମୟ, ସଂପଦ, ଜ୍ଞାନ ଓ ସ୍ନେହ ଅନ୍ୟଙ୍କ ସହିତ ବାଣ୍ଟିବାକୁ ପ୍ରେରିତ ହୋଇଥାନ୍ତି। ଚଳିତବର୍ଷର ଥିମ୍ ‘ସେୟାର ଟୁ ସାଇନ୍’ର ମୂଳ ବାର୍ତ୍ତା ହେଉଛି— ବାଣ୍ଟିବାରେ ଅଛି ସତ୍ୟ ସଫଳତା ଓ ଆନନ୍ଦ। ବିଶ୍ୱବ୍ୟାପୀ ଆର୍ଟ ଅଫ୍ ଗିଭିଂର ଅନୁଗାମୀ ଏବଂ ଶୁଭେଚ୍ଛୁଙ୍କୁ ଏଥିରେ ସାମିଲ ହେବା ପାଇଁ ପ୍ରତିବର୍ଷ ମଇ ୧୭ ତାରିଖରେ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ ପାଳନର ଦୁଇ ମାସ ପୂର୍ବରୁ ଏହି ବିଷୟବସ୍ତୁ ଉନ୍ମୋଚିତ ହୋଇଥାଏ। ଆର୍ଟ ଅଫ୍ ଗିଭିଂ ଅଭିଯାନରେ ଛାତ୍ରଛାତ୍ରୀ, ସମାଜସେବୀ ଓ ସାଧାରଣ ଲୋକମାନଙ୍କର ବ୍ୟାପକ ସହଭାଗିତା ଦେଖିବାକୁ ମିଳୁଛି। ଏହା ଆଜି କେବଳ ଓଡ଼ିଶାରେ ସୀମିତ ହୋଇ ରହିନାହିଁ, ବରଂ ଭାରତ ସମେତ ବିଶ୍ୱର ୨୨୦ଟି ଦେଶରେ ଆଦୃତ ଲାଭ କରିଛି। ଖାଦ୍ୟ, ବସ୍ତ୍ର ଦାନ, ଶିକ୍ଷା ସହାୟତା ଓ ପରିବେଶ ସୁରକ୍ଷା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏହା ସମାଜରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିପାରିଛି। ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍ ସିଂହଙ୍କ ସମେତ କିଟ୍ର ପଦାଧିକାରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
