ରାଜ୍ୟସଭା ନିର୍ବାଚନ ବାଜିମାରିନେଲେ ଦିଲ୍ଲୀପ ରାୟ
କାମ ଦେଲାନି ନବୀନ -ଭକ୍ତ ବୁଝାମଣା
ଭୁବନେଶ୍ୱର : (Hara Prasad Dash) କ୍ଷମତା ଲଢେଇରେ ଏବେ ଆଗରେ ବିଜେପି. ରାଜ୍ୟସଭା ନିର୍ବାଚନରେ ଚତୃର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଏବଂ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଲଢେଇ ହୋଇଥିଲା. ଯେଉଁଥିରେ ବାଜି ମାରିଛନ୍ତି ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ. ଏହା ଫଳରେ ରାଜ୍ୟର ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସକୁ ରାଜ୍ୟସଭା ନିର୍ବାଚନ ଫଳାଫଳ ଧରାଶାୟୀ କରିଦେଇଛି । ଦଳର ହୁଇପ୍ ଓ ନିର୍ଦ୍ଦେଶକୁ ଅମାନ୍ୟ କରି ପ୍ରାୟ ଏଗାର ବିଧାୟକ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ ଭୋଟ୍ ଦେଇଥିବା ଜଣାପଡ଼ିଛି।କ୍ରସ୍ ଭୋଟିଂ ଯୋଗୁଁ ବାଜି ପଲଟିଗଲା । ବାଜିମାତ୍ କରିଛନ୍ତି ଦିଲ୍ଲୀପ ରାୟ । ହାରିଗଲେ ଦତ୍ତେଶ୍ବର ହୋତା । ସୂଚନା ଅନୁସାରେ ପ୍ରଥମ ପସନ୍ଦରେ ସଂତୃପ୍ତଙ୍କୁ ୩୧ ଟି ଭୋଟ୍ ମିଳିଥିବାବେଳେ ମନମୋହନ ସାମଲଙ୍କୁ 35,ସୁଜିତ କୁମାରଙ୍କୁ 35 ଭୋଟ ମିଳିଥିଲା. ପ୍ରଥମ ପସନ୍ଦରେ ଦତ୍ତେଶ୍ଵର ଓ ଦିଲ୍ଲୀପଙ୍କୁ 23ଲେଁଖାଏ ଭୋଟ ମିଳିଥିଲା. ହେଲେ ଦ୍ୱିତୀୟ ପସନ୍ଦରେ ଦିଲୀପଙ୍କୁ 11ଟି ଭୋଟ ମିଳିବା ଯୋଗୁଁ ଦିଲ୍ଲୀପ ମୋଟ ୩୪ଟି ଭୋଟ୍ରେ ବିଜୟୀ ହୋଇଥିବା ଜଣାଯାଇଛି ।
ଏହାଦ୍ୱାରା ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଅଘୋଷିତ ବୁଝାମଣାକୁ ଯେ ଉଭୟ ଦଳର ନେତା-କର୍ମୀମାନେ ପସନ୍ଦ କରୁନାହାନ୍ତି ତାହା ଆଜି ସ୍ପଷ୍ଟ ହୋଇଯାଇଛି। ଏହାସହିତ ରାଜ୍ୟରେ ବିଜେପି ଅଧିକ ସୁଦୃଢ଼ ହୋଇ ଆଉ ଏକ ନୂଆ ରାଜନୀତିକ ସମୀକରଣ ଆଡ଼େ ମୁହାଁଉଥିବା ଆକଳନ କରାଯାଉଛି। ସୂତ୍ର ଅନୁସାରେ, ପ୍ରାୟ ୧୧ଜଣ ବିଧାୟକ ନିଜ ଦଳର ନିଷ୍ପତ୍ତି ବିରୁଦ୍ଧରେ ଯାଇ କ୍ରସଭୋଟିଂ କରିଛନ୍ତି। ଆଉ ଏହି ସମସ୍ତ ଭୋଟ୍ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ ପଡ଼ିଛି। ପିସିସି ସଭାପତି ଭକ୍ତଚରଣ ଦାସଙ୍କ କହିବା ଅନୁସାରେ, କଂଗ୍ରେସ ବିଧାୟକ ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦ୍ଦୋଷ କ୍ରସଭୋଟିଂ କରଛନ୍ତି । ଅନ୍ୟପକ୍ଷରେ ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ଚକ୍ରମଣି କହଁର, ରମାକାନ୍ତ ଭୋଇ, ନବକିଶୋର ମଲ୍ଲିକ, ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ କ୍ରସଭୋଟିଂ କରିଥିବା ଜଣାପଡ଼ିଛି। ଏହି ବିଧାୟକଙ୍କ ମଧ୍ୟରୁ ଅରବିନ୍ଦ ଓ ସନାତନଙ୍କୁ ବିଜେଡି ନିଲମ୍ବନ କରିଥିଲେ ମଧ୍ୟ ଗତକାଲି ସେମାନଙ୍କୁ ଦଳୀୟ ନିଷ୍ପତ୍ତି ମାନିବାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲା।କଟକ ଜିଲ୍ଲାର ୩ ପ୍ରଭାବଶାଳୀ ନେତା ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ ଓ ମହମ୍ମଦ ମୋକିମଙ୍କୁ ସେମାନଙ୍କ ଦଳ ଅପମାନିତ କରି ଦୂରେଇ ଦେଇଛି। କିନ୍ତୁ ସେମାନଙ୍କ ସନ୍ତାନମାନେ ଆଜି ଏହାର ପ୍ରତିଶୋଧ ନେଇଛନ୍ତି। ବିଜେଡିର ଦୁଇ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ୱାଳ ଏବଂ କଂଗ୍ରେସର ସୋଫିଆ ଫିର୍ଦ୍ଦୋଷ ନିଜ ଦଳର ନିଷ୍ପତ୍ତି ବିରୁଦ୍ଧରେ ଯାଇ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିବା ଜଣାପଡ଼ିଛି। ଗଣମାଧ୍ୟମକୁ ଆସି ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ଓ ସୌଭିକ ଏହା କହିବା ସହ ଦଳ ସେମାନଙ୍କ ବିରୁଦ୍ଧରେ ଯେକୌଣସି କାର୍ଯ୍ୟାନୁଷ୍ଠାନ ନେବ ତାକୁ ସ୍ୱାଗତ କରିବୁ ବୋଲି କହି ପରୋକ୍ଷରେ ବିଜେଡିକୁ ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି। ସେହିପରି କଂଗ୍ରେସ ବିଧାୟକ ସୋଫିଆ କିଛି ମନ୍ତବ୍ୟ ରଖିନଥିଲେ ମଧ୍ୟ ଗତ ଦୁଇଦିନ ତଳେ ସେ ଦଳୀୟ ନିଷ୍ପତ୍ତିକୁ ମାନିବେ ନାହିଁ ବୋଲି ପରୋକ୍ଷରେ ସଙ୍କେତ ଦେଇଥିଲେ। କଟକ ରାଜନୀତିରେ ନୂଆ ସମୀକରଣର ମୂଳଦୁଆ ପଡ଼ିଥିବାବେଳେ ଜିଲ୍ଲାର ଏହି ୩ଯୁବ ନେତା ମଧ୍ୟ ବିଜେଡି-କଂଗ୍ରେସର ଅଘୋଷିତ ବୁଝାମଣାକୁ ନାପସନ୍ଦ କରୁଥିବାର ମଧ୍ୟ ପ୍ରମାଣ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର ପ୍ରଭାବଶାଳୀ ବିଧାୟକ ରମେଶ ଜେନା ମଧ୍ୟ ବିଜେଡି ସହ କଂଗ୍ରେସର ବୁଝାମଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ବିଜେଡି ଶାସନ କାଳରେ ତାଙ୍କ ବିରୁଦ୍ଧରେ ଦୁଇ ଡଜନରୁ ଅଧିକ ମାମଲା ହୋଇଥିଲା। ତେଣୁ ବିଜେଡି ସହ କୌଣସି ପ୍ରକାରର ମେଂଟକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେହିପରି ବିଜେଡିର ପରିଚାଳନାକୁ ନେଇ କ୍ଷୁବ୍ଧ ହୋଇ ଦଳ ଛାଡ଼ିଥିବା ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା ମଧ୍ୟ କ୍ରସଭୋଟିଂ କରିଥିବାର ସୂଚନା ମିଳିଛି। ଏମାନଙ୍କ ବ୍ୟତୀତ ଚକ୍ରମଣି କହଁର, ରମାକାନ୍ତ ଭୋଇ ଓ ନବକିଶୋର ମଲ୍ଲିକଙ୍କ ଭଳି ନେତାଙ୍କ ସମେତ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ମଧ୍ୟ ଦିଲ୍ଲୀପ ରାୟଙ୍କୁ ସମର୍ଥନ ଜଣାଇ ବିଜେଡିର ମୂଳଦୁଆ ଦୋହଲାଇ ଦେଇଛନ୍ତି।ବିଜେଡି ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ ନଦେଇ ବିଜେଡି କିଛି ବିଧାୟକ କ୍ରସଭୋଟିଂ କରିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ, ଆଜି ଯେଉଁମାନେ କ୍ରସଭୋଟିଂ କରିଛନ୍ତି ସେମାନଙ୍କର ପିତାମାନେ ଜେଲ୍ ଯାଇଛନ୍ତି ଅବା ସେମାନଙ୍କର ଅପରାଧିକ ରେକର୍ଡ ରହିଛି। ବିଜେପି ଘୋଡ଼ାବେପାର କରି ନିର୍ବାଚନକୁ ପ୍ରଭାବିତ କରାଇଛି। ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟ ଜିତିବା ଏକରକମ ସ୍ପଷ୍ଟ ହେବାପରେ ସେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଏହି ଅବସରରେ ବିଜୟ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରାୟ ୩ମାସ ପୂର୍ବରୁ ଏଥିପାଇଁ ଯୋଜନା ହୋଇଥିଲା। ନବୀନ ପଟ୍ଟନାୟକଙ୍କ ପ୍ରତି ଅସନ୍ତୋଷ ବଢ଼ୁଛି ତାହା ସେ ବୁଝିପାରୁନାହାନ୍ତି । ନବୀନବାବୁ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି। ବାଙ୍କି ବିଧାୟକ ତଥା ପୁଅ ଦେବୀରଞ୍ଜନ ତ୍ରିପାଠୀ କ୍ରସଭୋଟିଂ କରିବାକୁ ତାଙ୍କ ପିତା ପ୍ରଭାତ ତ୍ରିପାଠୀ ସ୍ୱାଗତ କରିବା ସହ ପୁତ୍ରଧର୍ମ ପାଳନ କରିଥିବା କହିଛନ୍ତି। ବିଜେଡି କିଭଳି ନିଜର ଆଦର୍ଶରୁ ଓହରି ଯାଇଛି ତାହା କହିବା ସହ ଏହି ପରାଜୟ ପଛରେ ଦଳର ନୀତିହୀନ ମେଂଟକୁ ସେ ଦାୟୀ କରିଛନ୍ତି।କଂଗ୍ରେସ ସହ ହାତ ମିଳାଇ ବିଜେଡି ଆତ୍ମହତ୍ୟା କରିସାରିଛି । ଯେଉଁ ବିଜେଡି ଅଣକଂଗ୍ରେସ ଆଦର୍ଶରେ ଗଢ଼ା ହୋଇଥିଲା, ସେହି ଦଳ କେଉଁ ପରିସ୍ଥିତିରେ କଂଗ୍ରେସ ସହ ବୁଝାମଣା କଲା ତାହା କର୍ମୀମାନଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା। ଦଳ ଭିତରେ ରହିଥିବା ଖୋସାମତିଆ ନେତା ଓ ବ୍ୟକ୍ତିଗତ ସ୍ୱାର୍ଥ ରଖିଥିବା ଲୋକଙ୍କୁ ବିଦା ନକରି ଭବିଷ୍ୟତରେ ବିଜେଡିକୁ ଦଖଲ କରାଯିବ। ଆବଶ୍ୟକ ପଡ଼ିଲେ ବିଜେଡିରେ ସଂସ୍କାର ଆଣିବା ପାଇଁ ଏକ ବଡ଼ଧରଣର ରାଜନୈତିକ ଆନ୍ଦୋଳନର ସେ ଚେତାବନୀ ଦେଇଛନ୍ତି।ତେବେ ରାଜ୍ୟସଭା ନିର୍ବାଚନରେ ଏତେପରିମାଣର କ୍ରସଭୋଟିଂ ଓଡ଼ିଶା ରାଜନୀତିରେ ବିଜେପିର ଆଧିପତ୍ୟକୁ ବୃଦ୍ଧି କରିବା ସହ ବିଜେଡି ଓ କଂଗ୍ରେସର ଅନ୍ତଃକନ୍ଦଳକୁ ପଦାରେ ପକାଇ ଦେଇଛି।ଖାଲି ଏତିକି ନୁହେଁ ନବ ମଲ୍ଲିକଙ୍କୁ ନେଇ ବିଧାନସଭାରେ ଲାଗିଥିଲା ଗଣ୍ଡଗୋଳ । ମୁହାଁମୁହିଁ ହୋଇଥିଲେ ଶାସକ ଏବଂ ବିରୋଧୀ ।
