ଜଳୁଛି ଜଙ୍ଗଲ, କାନ୍ଦୁଛି ପ୍ରକୃତି: ଆଉ କେତେଦିନ ସହିବ କେନ୍ଦ୍ରିକଳା ସଂରକ୍ଷିତ ଜଙ୍ଗଲ ?
ବଣାଇ:୧୬/୦୨/୨୬(ଡମ୍ବରୁ ପ୍ରଧାନ) ଆଜି କେନ୍ଦ୍ରିକଳା ସଂରକ୍ଷିତ ଜଙ୍ଗଲରୁ ଆସୁଥିବା ଧୂଆଁ କେବଳ ଗଛ ଜଳିବାର ସଙ୍କେତ ନୁହେଁ, ବରଂ ଏହା ମଣିଷର ବିବେକ ଜଳିଯାଉଥିବାର ଏକ ନଗ୍ନ ଚିତ୍ର। କେହି ଦୁର୍ବୃତ୍ତ ସାମାନ୍ୟ ନିଆଁ କାଠିଟିଏ ଆଜି ବର୍ଷ ବର୍ଷର ସବୁଜିମାକୁ ଛାରଖାର କରିଦେଇଛି । ଯେଉଁ ଜଙ୍ଗଲ ଆମକୁ ଅମ୍ଳଜାନ ଦିଏ, ଯେଉଁଠି ହଜାର ହଜାର ନିରୀହ ଜୀବଜନ୍ତୁ ଓ କୀଟପତଙ୍ଗ ନିଜର ସଂସାର ରଚିଥାନ୍ତି, ଆଜି ସେମାନେ ନିଆଁର କରାଳ ଶିଖାରେ ଭସ୍ମୀଭୂତ ହେଉଛନ୍ତି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ, କିନ୍ତୁ କିଛି ଅମଣିଷଙ୍କ ହୀନ ମାନସିକତା ଯୋଗୁଁ ଆଜି ବଣାଇର ଗର୍ବ ‘କେନ୍ଦ୍ରିକଳା ସଂରକ୍ଷିତ ଜଙ୍ଗଲ’ ନିଜର ଅସ୍ତିତ୍ୱ ହରାଉଛି। ମନେରଖିବାକୁ ହେବ ଯେ, ଜଙ୍ଗଲ ଜଳିଲେ କେବଳ ଗଛ ପୋଡ଼େ ନାହିଁ, ବରଂ ଆମ ଆଗାମୀ ପିଢ଼ିର ଭବିଷ୍ୟତ ମଧ୍ୟ ପୋଡ଼ି ପାଉଁଶ ହୋଇଯାଏ। କଳକାରଖାନା ଘେରା ଏହି ଅଞ୍ଚଳରେ ଜଙ୍ଗଲ ହିଁ ଆମର ଏକମାତ୍ର ରକ୍ଷାକବଚ। ଯଦି ଆମେ ଆଜି ଏହି ସମ୍ପଦକୁ ସୁରକ୍ଷା ଦେଇପାରିବା ନାହିଁ, ତେବେ ଆସନ୍ତାକାଲିର ଶ୍ବାସରୁଦ୍ଧ ପରିବେଶ ପାଇଁ ଆମେ କାହାକୁ ଦୋଷ ଦେବା ? ବନ ବିଭାଗ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଜୀବନ ବିକଳରେ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ କେବଳ ବିଭାଗୀୟ ଉଦ୍ୟମ ଯଥେଷ୍ଟ ନୁହେଁ। ଏଥିପାଇଁ ପ୍ରତିଟି ଜନସାଧାରଣଙ୍କ ସହଯୋଗ ଓ ସଚେତନତା ଜରୁରୀ। ନିଜ ସ୍ୱାର୍ଥ ପାଇଁ ପ୍ରକୃତିର ବଳି ପକାଇବା ବନ୍ଦ କରିବା,ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ଏବଂ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା। ଆଜି ଯଦି ଆମେ ଚୁପ୍ ରହିବା, ତେବେ ଇତିହାସ ଆମକୁ କେବେବି କ୍ଷମା କରିବ ନାହିଁ।
