ଫୁଲନଖରା ଛକରେ ଟ୍ରାଫିକ ପୋଲିସଙ୍କ ସଚେତନତା କାର୍ୟ୍ୟକ୍ରମ


କଟକ: ସଡ଼କ ଦୁର୍ଘଟଣା ରୋକଥାମ ଓ ସାଧାରଣ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ପ୍ରତି ସଚେତନ କରିବା ଉଦ୍ଦେଶ୍ୟରେ ଟ୍ରାଫିକ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଫୁଲନଖରା ଛକଠାରେ ଏକ ବିଶାଳ ସଚେତନତା କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି। ଟ୍ରାଫିକ ଏ.ସି.ପି ଶ୍ରୀ ଜୟନ୍ତ କୁମାର ଦୋରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ହେଲମେଟ ପିନ୍ଧି ଓ ସିଟ୍‌ ବେଲ୍ଟ ବ୍ୟବହାର କରି ଯାତ୍ରା କରୁଥିବା ଯାନ ଚାଳକ ଓ ଆରୋହୀମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ଦେଇ ଟ୍ରାଫିକ ପୋଲିସ ପକ୍ଷରୁ ସ୍ୱାଗତ ଓ ପ୍ରୋତ୍ସାହନ ଜଣାଯାଇଥିଲା। ଏହା ସହିତ ଯେଉଁ ଚାଳକମାନେ ବିନା ହେଲମେଟ କିମ୍ବା ସିଟ୍‌ ବେଲ୍ଟ ବ୍ୟବହାର ବିନା ଯାତ୍ରା କରୁଥିଲେ ସେମାନଙ୍କୁ ଟ୍ରାଫିକ ନିୟମର ଗୁରୁତ୍ୱ ବିଷୟରେ ବୁଝାଇ ସଚେତନ କରାଯାଇଥିଲା।
“ଶିକ୍ଷାରୁ ସୁରକ୍ଷା ଓ ପ୍ରଯୁକ୍ତିରୁ ପରିବର୍ତ୍ତନ” ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଲୋଗାନ ସହିତ ଏକ ସଚେତନତା ର୍ୟାଲି ମଧ୍ୟ ଆୟୋଜିତ ହୋଇଥିଲା। ର୍ୟାଲି ମାଧ୍ୟମରେ ସାଧାରଣ ଲୋକଙ୍କୁ ଟ୍ରାଫିକ ନିୟମ ପାଳନ, ଦୁର୍ଘଟଣାରୁ ରକ୍ଷା ପାଇବା ଓ ଜୀବନର ମୂଲ୍ୟ ବିଷୟରେ ସନ୍ଦେଶ ପ୍ରଦାନ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ଆଇ.ଆଇ.ସି ଏନ୍‌.ଏଚ୍‌ ଟ୍ରାଫିକ ଶ୍ରୀ ଦୂର୍ଗା ପ୍ରସାଦ ଜେନା,ଏ.ସି.ପି (ଇନ୍‌ଚାର୍ଜ) ଟାଉନ ଟ୍ରାଫିକ ଶ୍ରୀ ସରୋଜ କୁମାର ମଲ୍ଲିକ, ଆଇ.ଆଇ.ସି କଟକ ସଦର ଶ୍ରୀ ତୁଷାରକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ରହି ସାଧାରଣ ଜନସାଧାରଣଙ୍କୁ ଟ୍ରାଫିକ ସୁରକ୍ଷା, ନିୟମ ପାଳନ ଓ ଦାୟିତ୍ୱଶୀଳ ଯାନ ଚାଳନା ବିଷୟରେ ସଚେତନ
କରିଥିଲେ। ଫୁଲନଖରା ଟ୍ରାଫିକ ଥାନାର ସମସ୍ତ କର୍ମଚାରୀ ଏହି ସଚେତନତା କାର୍ୟ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ଭାବେ ସହଯୋଗ କରିଥିଲେ। ଟ୍ରାଫିକ ପୋଲିସଙ୍କ ଏହି ପଦକ୍ଷେପକୁ ସାଧାରଣ ଲୋକେ ବହୁ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *