ପରଲୋକରେ ସଙ୍ଗୀତ ନିର୍ଦ୍ଦେଶ ଅଭିଜିତ୍ ମଜୁମଦାର
ଭୁବନେଶ୍ୱର, ୨୫୦୧ (ଖବର): ଦୀର୍ଘ ଦିନ ଧରି ଜୀବନ ଯୁଦ୍ଧରେ ଲଢେଇ କରୁଥିବା ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶ ଅଭିଜିତ୍ ମଜୁମଦାର ହାରିଯାଇଛନ୍ତି। ଦୀର୍ଘ ଦିନ ଧରି ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି। ୫୪ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ଲିଭର୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ। ଆଜି ଅଭିଜିତ୍ଙ୍କୁ ହରାଇ ଭାଙ୍ଗିପଡିଛି ଓଡ଼ିଆ ସଙ୍ଗୀତ ଜଗତ। ‘କାଶିଆ କପିଳା’ ସିନେମାରୁ ସଂଗୀତ ଯାତ୍ରା ଆରମ୍ଭ- ଅଭିଜତ୍ ମଜୁମଦାର କ୍ୟାସେଟରେ ସଙ୍ଗୀତ ଦେଇ ଓଡିଆ ସଙ୍ଗୀତଜଗତରେ ପ୍ରବେଶ କରିଥିଲେ। ୨୦୦୦ ମସିହାରେ ‘କାଶିଆ କପିଳା’ ସିନେମା ଜରିଆରେ ସେ ସିନେ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ। ସେ ପ୍ରାୟ ୬୦ରୁ ଅଧିକ ସିନେମାରେ ସଂଗୀତ ଦେଇଥିବା ବେଳେ ୧୦୦ ଊର୍ଦ୍ଧ ଆଲବମ୍ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଉଲ୍ଲେଖଥାଉ କି, ଅଗଷ୍ଟ ୩୧ ତାରିଖରେ ସେ କଟକ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେବେଠାରୁ ସେ କୋମାରେ ଥିଲେ। ଏହାପରେ ଗତ ସେପ୍ଟେମ୍ବର ୪ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା। ସେଠାରେ ତାଙ୍କର ନିରନ୍ତର ଚିକିତ୍ସା ଚାଲିଛି। ଗତବର୍ଷ ଅକ୍ଟୋବର ୨୩ରେ ଅଭିଜିତ୍ଙ୍କର ବ୍ରେନ୍ ଏମଆରଆଇ କରାଯାଇଥିଲା। ରିପୋର୍ଟରେ ମଧ୍ୟ କୌଣସି ସୁଧାର ଦେଖାଯାଇନଥିଲା। ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାରୁ ଧୀରେ ଧୀରେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ଅଭିଜିତ ମଜୁମଦାର ଏମ୍ସରେ ଚିକିତ୍ସିତ ହେଉଥିଲେ। ଆଜି ସକାଳ ପ୍ରାୟ ୯ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କ ମରଶରୀରକୁ ପ୍ରଥମେ କଟକସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରୁ ପୁରୀ ନିଆଯାଇ ସ୍ୱର୍ଗଦ୍ୱାରରେ ଶବସକ୍ରାର କରାଯାଇଥିଲା।
